ଭୁବନେଶ୍ୱର– ରାଜ୍ୟରେ ଶୀତର ପ୍ରକୋପ ସାମାନ୍ୟ ହ୍ରାସ ପାଇଛି । ପ୍ରାୟ ସପ୍ତାହେ ଧରି ଅଧିକାଂଶ ସ୍ଥାନର ତାପମାତ୍ରା ୧୦ ବା ୧୦ ଡିଗ୍ରୀ ତଳକୁ ରହିଥିବା ବେଳେ ଗତକାଲି ରାତ୍ରି ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଛି । ଗତକାଲି ରାତିରେ ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ ତଳେ ରେକର୍ଡ କରାଯାଇଥିଲା । ତେବେ ରାଜ୍ୟର ବହୁ ସ୍ଥାନରେ ଘନ କୁହୁଡି ଦେଖିବାକୁ ମିଳୁଛି ।
ଗତକାଲି ରାତିରେ ରାଜ୍ୟର ସବୁଠୁ ଥଣ୍ଡା ସହର ଥିଲା କୋରାପୁଟ । ଏଠାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬.୬ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିପରି ଦାରିଙ୍ଗବାଡ଼ିରେ ୭, ଜି. ଉଦୟଗିରିରେ ୭.୪, କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୯, କିରେଇରେ ୯.୪, ଫୁଲବାଣୀରେ ୯.୫ ଓ ସିମିଳିଗୁଡ଼ା ୯.୬ ଡିଗ୍ରୀ ରେକର୍ଡ କରାଯାଇଥିଲା ।
କଟକ ଓ ଭୁବନେଶ୍ୱରରେ ମଧ୍ୟ ରାତ୍ରି ତାପମାତ୍ରାରେ ବୃଦ୍ଧି ଘଟିଛି । ତିନି ଦିନ ତଳେ ଏହି ଦୁଇ ସହରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨ ଡିଗ୍ରୀ ପାଖାପାଖିକୁ ଚାଲିଯାଇଥିବା ବେଳେ ଗତକାଲି ରାତିରେ କଟକରେ ସର୍ବନିମ୍ନ ତାପମାତ୍ରା ୧୫.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରର ତାପମାତ୍ରା ୧୬ ଡିଗ୍ରୀ ରହିଥିଲା ।