ମାଲକାନଗିରି– ଆଦିବାସୀ ଅଧୁଷିତ ଅଞ୍ଚଳରେ ଧାନ କଟା ଓ ଅମଳ ପରେ ସାଧାରଣତଃ କୁକୁଡ଼ା ଗାଲି ଚାଲୁଥିବା ବେଳେ ମଦ ମାଂସର ଆସର ଜମିଥାଏ। ଯାହା ଫଳରେ ଗରିବ ନିରୀହ ଆଦିବାସୀ ମାନେ ଲୋଭର ବଶବର୍ତ୍ତୀ ହୋଇ କୁକୁଡ଼ା ଗାଲିକୁ ଯାଇ ଅର୍ଥ ହାନି ସହିତ ମଦ ମାଂସରେ ସମସ୍ତ ଖର୍ଚ କରି ଦିଅନ୍ତି । ଯେଉଁଥି ପାଇଁ ଘରକୁ ଫେରିବା ପରେ ପାରିବାରିକ ଅଶାନ୍ତି ଦିନକୁ ଦିନ ବଢ଼ିବାରେ ଲାଗିଥିବା ଦେଖିବାକୁ ମିଳୁଛି । କିନ୍ତୁ, ଜିଲ୍ଲା ପୁଲିସ ବିଭାଗ ଓ ଜିଲ୍ଲା ପ୍ରଶାସନ ତରଫରୁ ଗତ ଦୁଇ ବର୍ଷ ହେବ କୁକୁଡ଼ା ଗାଲିକୁ ବେଆଇନ ଘୋଷଣା କରିଛନ୍ତି । ହେଲେ କିଛି ସ୍ଥାନରେ ପ୍ରଶାସନ ନିୟମକୁ ବେଖାତିର କରି ଲୁଚି ଛପି ବେଆଇନ ଭାବେ କୁକୁଡ଼ା ଗାଲି ଚାଲୁଥିବା ବେଳେ ପୁଲିସ ଚଢ଼ଉ କରି କୁକୁଡ଼ା ଗାଲି ବନ୍ଦ କରିବା ସହିତ ମାମଲା ରୁଜୁ କରାଯାଉଛି । ଗତକାଲି ଏକ ଘଟଣା ସାମ୍ନାକୁ ଆସିଛି ପୁଲିସ ଏକ କୁକୁଡ଼ା ଗାଲି ଉପରେ ଚଢ଼ଉ କରି ୭ ଜଣଙ୍କୁ ଗିରଫ କରି ଥାନାକୁ ଆଣିଥିବା ସୂଚନା ମିଳିଛି।
ସୂଚନା ମୁତାବକ ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଧିକାରୀ ଦେବଦତ୍ତ ମଲ୍ଲିକ ଓ ଅନ୍ୟ ପୁଲିସ କର୍ମଚାରୀ ଗତକାଲି ସନ୍ଧ୍ୟାରେ ମାଥିଲି ବ୍ଲକ ଟେମୁରୁପାଲ୍ଲୀ ଅନ୍ତର୍ଗତ ପୂଜାରୀଗୁଡା ଗ୍ରାମରେ ଏକ କୁକୁଡ଼ା ଗାଲି ଉପରେ ଅଚାନକ ଭାବେ ଚଢ଼ଉ କରି ୭ ଜଣଙ୍କୁ ଗିରଫ କରିବା ସହିତ ୧୪୭୦ ଟଙ୍କା, ଦୁଇଟି କୁକୁଡ଼ା ଓ କୁକୁଡ଼ା ଗାଲିରେ ବ୍ୟବହୃତ ହେଉଥିବା ଦୁଇଟି ଛୁରୀ ଜବତ କରିଛି । ସମସ୍ତ ୭ ଜଣଙ୍କୁ ମାଥିଲି ଥାନାକୁ ଆଣିବା ସହିତ ଏକ ମାମଲା ରୁଜୁ କରାଯାଇଛି । ସମସ୍ତ ୭ ଜଣଙ୍କୁ ଜାମିନ ମିଳିଥିବା ବେଳେ ଆଗାମୀ ଦିନରେ ଯେଉଁଠି ବି କୁକୁଡ଼ା ଗାଲି ଚାଲୁଥିବା ପୁଲିସ ସୂଚନା ପାଇବ ସେଠାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ମଲ୍ଲିକ ସୂଚନା ଦେଇଛନ୍ତି ।