ଭୁବନେଶ୍ୱର– ଦେବଗଡ଼ରୁ ୬ ବର୍ଷର ଶିଶୁ କନ୍ୟା ପିହୁ ଅଗ୍ରୱାଲ ଅପହରଣ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇଛନ୍ତି । ପୋଲିସ ସେମାନଙ୍କଠାରୁ ଅପହରଣରେ ବ୍ୟବହାର ହୋଇଥିବା ୨ଟି ବାଇକ୍ ଓ ଗୋଟିଏ କାର୍ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଦେବଗଡ଼ ଥାନା ନୂଆଗାଁର ହିମାଂଶୁ ନାରଙ୍ଗ (୨୧), ବଲଣ୍ଡାର ରୋହିତ ପାତ୍ର (୨୪), ଜରେକେଳାର ମହେଶ୍ୱର ସଗଡ଼ିଆ (୨୪) ଓ ମେଣ୍ଢିପାଲିର ଦୀପକ ନାଏକ (୧୯) । ଏହି ଅପହରଣ ଘଟଣାର ମାଷ୍ଟର ମାଇଣ୍ଡ ହିମାଂଶୁ ନାରଙ୍ଗ ବୋଲି ପୋଲିସ ସୂଚନା ଦେଇଛି । ଟଙ୍କା ପାଇଁ ଏହି ଅପହରଣ କରାଯାଇଥିଲା । ଅପହରଣରେ ସଫଳ ହୋଇଥିଲେ ଅଭିଯୁକ୍ତମାନେ ୨ କୋଟି ଟଙ୍କା ଦାବି କରିଥାନ୍ତେ ବୋଲି ପୋଲିସ୍ ତଦନ୍ତ ସମୟରେ ଜାଣିବାକୁ ପାଇଥିବା କହିଛି ।
ସୂଚନାଯୋଗ୍ୟ ଯେ ଗତ ୧୮ ତାରିଖ ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଦେବଗଡ଼ ସହରର କପଡ଼ା ବ୍ୟବସାୟୀ ଆଲୋକ ଅଗ୍ରୱାଲଙ୍କର ୬ ବର୍ଷର ଶିଶୁ କନ୍ୟା ପିହୁଙ୍କୁ ଘର ପାଖରୁ ଅପହରଣ କରାଯାଇଥିଲା । ଟ୍ୟୁସନ୍ ଶେଷ ହେବା ପରେ ପିହୁ ତାଙ୍କ ଜେଜେମାଙ୍କ ସହ ଘରକୁ ଫେରୁଥିବା ବେଳେ ବାଇକରେ ଆସି ଦୁଇ ଜଣ ଅଭିଯୁକ୍ତ ତାଙ୍କୁ ଉଠାଇ ନେଇଥିଲେ । ତେବେ ଅପହରଣର ୧୦ ଘଂଟା ପରେ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରୁ ପିହୁଙ୍କୁ ଉଦ୍ଧାର କରାଯାଇଥିଲା ।