ବଲାଙ୍ଗିର– ଖପ୍ରାଖୋଲ ଥାନା ପୋଲିସ ଚଢଉ କରି ୭ ଶିଶୁ ସମେତ ୮ଜଣ ଦାଦନ ଶ୍ରମିକ ଉଦ୍ଧାର କରିଥିବା ବେଳେ ଦାଦନ ଚାଲାଣ ଅଭିଯୋଗରେ ୩ ସର୍ଦ୍ଦାରଙ୍କୁ ଶନିବାର କୋର୍ଟ ଚାଲାଣ କରିଥିବା ପୋଲିସ ସୂଚନା ଦେଇଛି ।
ସୂଚନା ଅନୁସାରେ, ଦାଦନ ଚାଲାଣ ସୂଚନା ପାଇ ଖପ୍ରାଖୋଲ ଥାନା ପୋଲିସ ଘୁଚାପାଲି ଛକ ନିକଟରେ ଛକି ବସିଥିବା ବେଳେ ଏକ ବୋଲେରୋ ଗାଡ଼ିରେ ବେଆଇନ୍ ଶ୍ରମିକ ଚାଲାଣ ହେଉଥିବା ବେଳେ ପୋଲିସ ଗାଡ଼ି ଅଟକାଇ ପଚରା ଉଚୁରା ବେଳେ ଜମୁନାପାଲି ଓ ଘୁଚାପାଲି ଗାଁର ୪ ଜଣ ମହିଳା, ୪ ଜଣ ପୁରୁଷ ସମେତ ୭ଜଣ ଶିଶୁଙ୍କୁ ଉଦ୍ଧାର କରି ଖପ୍ରାଖୋଲ ଥାନାକୁ ଆଣିଥିବା ବେଳେ ବୋଲେରୋ ଗାଡି ଓ ଏକ ମୋଟର ସାଇକେଲ ଜବତ କରିଥିଲେ । ଏନେଇ ବେଆଇନ୍ ଦାଦନ ଚାଲାଣ ଅଭିଯୋଗରେ ଖପ୍ରାଖୋଲ ଥାନା କେସ୍ ନମ୍ବର ୨୭୨/୨୩ରେ ଏକ ମାମଲା ରୁଜୁ କରି ଚାଚରାଭଟା ଗାଁର ମକୁନ୍ଦ ମାଝୀ (୩୮), ଲାଠୋର ଗାଁର ମୁକ୍ତିରାମ ଠାକୁର (୩୮) ଓ ହେମନ୍ତ ନାଗ (୪୦)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଉଦ୍ଧାର ଶ୍ରମିକମାନଙ୍କୁ ନିଜ ନିଜ ଗାଁକୁ ପଠାଇ ଦେଇଥିବା ପ୍ରକାଶ କରିଛନ୍ତି ।
ପ୍ରକାଶ ଥାଉ କି, ଆନ୍ତଃରାଜ୍ୟ ଶ୍ରମିକ ଚାଲାଣ(ନିୟନ୍ତ୍ରଣ) ଆଇନ-୧୯୭୯ କାର୍ଯ୍ୟକାରୀ ହେଲା ସତ, ମାତ୍ର ଏହା ଯୋଗୁ ଦାଦନ ପରି କୁତ୍ସିତ ସମସ୍ୟାକୁ ରୋକାଯାଇ ପାରିଲା ନାହିଁ ବରଂ ସରକାରୀ ସ୍ଵୀକୃତ ଭାବେ ଏହା ଅବାଧରେ ଚାଲିଲା ଏବଂ ଏହା ଏକ ଲାଭଜନକ ବ୍ୟବସାୟରେ ପରିଣତ ହେଲା ।