ହରିଚନ୍ଦନପୁର– କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଆଜି ଅପରାହ୍ନରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଟାପିଟି ପଞ୍ଚାୟତ ଅନ୍ତର୍ଗତ ଜୁଆଙ୍ଗ ଜନଜାତିର ଗ୍ରାମ କୁଆଝରଣକୁ ପରିଦର୍ଶନ କରିଛନ୍ତି । ଗ୍ରାମକୁ କେନ୍ଦ୍ରମନ୍ତ୍ରୀ ଆସୁଥିବା ନେଇ ଗ୍ରାମର ମହିଳାମାନେ ରାସ୍ତାକୁ ଲିପାପୋଛା କରି ଝୋଟି ପକାଇ ବିଭିନ୍ନ ରଙ୍ଗ ସହ ଫୁଲରେ ସ୍ବାଗତର ବାର୍ତ୍ତା ଦେଇଥିଲେ ଏବଂ ହୁଳହୁଳି ଦେଇ ବନ୍ଦାପନା କରି ଗ୍ରାମ ଭିତରକୁ ପାଛୋଟି ନେଇଥିଲେ । ଗ୍ରାମଟି ଜଙ୍ଗଲ ନିକଟରେ ଥିବାରୁ ମୂଖ୍ୟତଃ ବନ୍ୟପ୍ରାଣୀ ଦାଉରୁ ରକ୍ଷା, ପାନୀୟ ଜଳ, ରାସ୍ତା, ଶିକ୍ଷା, ସ୍ବାସ୍ଥ୍ୟ, ବିଦ୍ୟୁତ୍ ସହ ଗ୍ରାମରେ ଏକ ମଣ୍ଡପ ଗୃହ ନିର୍ମାଣ, ସରକାରୀ ଆବାସ ଯୋଜନାରେ ସମସ୍ତଙ୍କୁ ବାସଗୃହ ଯୋଗାଇ ଦେବାକୁ ଲିଖିତ ଅଭିଯୋଗ କରିଥିଲେ । ଲୋକଙ୍କ ସମସ୍ୟା ସହ ଅଭିଯୋଗ ପରଖିବା ପରେ ଗ୍ରାମ ବୁଲି ଦେଖିବା ପରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ଖୁବଶିଘ୍ର ସମାଧାନର ବାଟ ବାହାର କରିବାକୁ ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶ୍ରୁତି ପରେ ଗ୍ରାମରେ ଥିବା ମୌଳିକ ସୁବିଧାର ସମାଧାନ ଖୁବଶିଘ୍ର ହେବା ନେଇ ଗ୍ରାମରେ ଏକ ପ୍ରକାର ଖୁସିର ଲହରି ଖେଳିଯାଇଥିଲା।
କେନ୍ଦ୍ରମନ୍ତ୍ରୀଙ୍କ ସହ କେନ୍ଦୁଝର ସଦର ବିଧାୟକ ମୋହନ ମାଝି, ମୁନିସପାଲଟି ଚେୟାରମ୍ୟାନ ନିକୁ ସାହୁ, ବିଜେପି ଜିଲ୍ଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ତେଲକୋଇ ପୂର୍ବତନ ବିଧାୟକ ପ୍ରାର୍ଥୀ କୈଳାସ ଚନ୍ଦ୍ର ନାଏକ, ବିଜେପି ନେତା ମାନସ ନାଏକ, ହରିଚନ୍ଦନପୁର ମଣ୍ଡଳ ସଭାପତି ମନୋଜ ମହାନ୍ତ, ସୁଶାନ୍ତ କୁମାର ମହାନ୍ତ, ପ୍ରେମ୍ ପ୍ରକାଶ ମୁଣ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା, କର୍ମୀ, ସମର୍ଥକ ଉପସ୍ଥିତ ରହିଥିଲେ ।