
-
ପ୍ୟାରୀମୋହନ, ସତ୍ୟନାରାୟଣ, ସୁଚେତା ଓ ଶାରଳା ବୁକସଙ୍କୁ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ସମ୍ମାନ,
-
ଆସନ୍ତା ୨୫ରୁ ଶରଧାବାଲି ରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା,
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆସନ୍ତା ଡିସେମ୍ବର ୨୫ ରୁ ଜାନୁଆରୀ ୪ତାରିଖ ପର୍ଯ୍ୟନ୍ତ ଏଗାରଦିନ ଧରି ଦିଲ୍ଲୀ ସମେତ ଓଡ଼ିଶାର ୫୦ରୁ ଉର୍ଦ୍ଧ୍ବ ପ୍ରକାଶନ ସଂସ୍ଥା ସହ ୧୪୦ଟି ଷ୍ଟଲ କୁ ନେଇ, ପୁରୀ ଶରଧାବାଲି ରେ ଶ୍ରୀକ୍ଷେତ୍ର ପୁସ୍ତକ ମେଳା ଚାଲିବ।ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଶ୍ରୀକ୍ଷେତ୍ର ପୁସ୍ତକ ମେଳା କମିଟି ର ମିଳିତ ସହଯୋଗ ରେ ହେଉଥିବା ଏହି ବହିମେଳା ରେ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗବେଷକ ପ୍ୟାରୀମୋହନ ପଟ୍ଟନାୟକ, ସାହିତ୍ୟ ପାଇଁ ସତ୍ୟନାରାୟଣ ମିଶ୍ର ଓ ସୁଚେତା ମିଶ୍ର,ପ୍ରକାଶନ ପାଇଁ ସାରଳା ବୁକସ୍ ଡିଷ୍ଟ୍ରିବ୍ୟୁଟର ଙ୍କୁ ପୁସ୍ତକ ମେଳା ସମ୍ମାନ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଛି |ଏଥି ସହିତ ସାହିତ୍ୟ, ସଂସ୍କୃତି ଓ ଗବେଷଣା କ୍ଷେତ୍ରରେ ଗୁଣାତ୍ମକ ଅବଦାନ ପାଇଁ ଅଧ୍ୟାପକ ବିଶ୍ଵରଞ୍ଜନଙ୍କୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ ଘୋଷଣା ହୋଇଛି। ପ୍ରତିଦିନ ଦିନ ଦୁଇଟା ଠାରୁ ରାତି ନଅଟା ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ବିଭିନ୍ନ ଦିନରେ ନୃତ୍ୟ,ସଂଗୀତ, କବିତା ଆସର,ସାହିତ୍ୟ ଆସର,କୁଇଜ୍ ଆଲୋଚନା ଚକ୍ର ଓ ଯୋଗ ସହ ବକ୍ତୃତା, ଚିତ୍ରାଙ୍କନ ଓ ପଠନ ପ୍ରତିଯୋଗିତା ଆଦି କରାଯିବ ବୋଲି ସଭାପତି ଡଃକୈଳାଶ ଚନ୍ଦ୍ର ଟିକାୟତରାୟ, ସଂପାଦକ ଚକ୍ରଧର ମହାପାତ୍ର ଓ ମିଡ଼ିଆ ସଂପାଦକ ଵଦ୍ରି ମିଶ୍ର ମିଳିତ ଭାବେ ପ୍ରେସ କନଫରେନ୍ସ ରେ ପ୍ରକାଶ କରିଛନ୍ତି। ଚଳିତବର୍ଷ ଏହି ପୁସ୍ତକମେଳା ରେ ଲକ୍ଷାଧିକ ପାଠକ ଓ ପୁସ୍ତକପ୍ରେମୀ ଯୋଗଦେବା ର ସମ୍ଭାବନା ଥିବାବେଳେ, ମେଳା ର ଉଦଘାଟନ ଦିବସ ରେ ଜିଲ୍ଲାପାଳ ସମର୍ଥ ବର୍ମା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ସ୍ବତନ୍ତ୍ର ଶାସନ ସଚିବ ମଧୁସୂଦନ ଦାସ ଓ ପୁରୀ ର ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଯୋଗଦେବେ ବୋଲି କୁହାଯାଇଛି। ଏହି ପ୍ରେସ୍ ମିଟ୍ ରେ ଉପଦେଷ୍ଟା ସୁରେନ୍ଦ୍ର କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ଅନାମ ଚନ୍ଦ୍ର ସାହୁ, ସଂଗଠନ ସଂପାଦକ ପ୍ରସନ୍ନ କୁମାର ମିଶ୍ର, ଶ୍ରୀକାନ୍ତ ମହାନ୍ତି, ବୀରେନ୍ଦ୍ର ମହାନ୍ତି, ବିପିନ୍ ବିହାରୀ ଦଳାଇ, ଶ୍ୟାମପ୍ରକାଶ ସେନାପତି, ସୁକାନ୍ତ ପଣ୍ଡା, ସ୍ବାଧୀନ କୁମାର ପଣ୍ଡା ଓ ଭବାନୀ ବଳିୟାରସିଂହଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ସଂସ୍କୃତି ବିଭାଗ ର ଅଧିକାରୀ ଉପସ୍ଥିତ ଥିଲେ। ପୁରୀ ଜିଲ୍ଲା ର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷାବିତ୍, ଅଧିବକ୍ତା, ସାହିତ୍ୟିକ,ପାଠକ, ସଂଗଠନ,ଯୁବ ଓ ନାରୀଗୋଷ୍ଠୀଙ୍କ ସମେତ ଶିଶୁ -କିଶୋରମାନେ ବହୁଳ ସଂଖ୍ୟା ରେ ଏଥିରେ ଯୋଗଦେବାକୁ ସଂପାଦକ ଚକ୍ରଧର ମହାପାତ୍ର ନିବେଦନ କରିଛନ୍ତି।