
ବୋଧଗୟା– ବିହାରର ବୋଧଗୟାରେ ମହାବୋଧି ମନ୍ଦିର ସ୍ଥିତ ସ୍ତୁପ ନିକଟରେ ବୋଧି ବୃକ୍ଷ ତଳେ ବିଶ୍ଵ ଶାନ୍ତି ନିମନ୍ତେ ଏକ ବିଶେଷ ପ୍ରାର୍ଥନା ଅନୁଷ୍ଠିତ ହୋଇଛି । ଶନିବାର ସକାଳେ ଅନୁଷ୍ଠିତ ଏହି ପ୍ରାର୍ଥନାରେ ତିବ୍ବତୀ ଧର୍ମଗୁରୁ ଦଲାଇଲାମାଙ୍କ ସହିତ ୩୩ ଦେଶର ବୌଦ୍ଧ ଧର୍ମର ବିଦ୍ୱାନ ଏବଂ ଶ୍ରଦ୍ଧାଳୁ ସାମିଲ୍ ହୋଇଥିଲେ । ଏହି ଅବସରରେ ‘ବୁଦ୍ଧମ୍ ଶରଣମ୍ ଗଚ୍ଛାମି’ ପ୍ରାର୍ଥନାରେ ମନ୍ଦିର ପରିସର ଗୁଞ୍ଜରିତ ହୋଇ ଉଠିଥିଲା ।
ଏହି ସମୟରେ ଦଲାଇଲାମା କହିଥିଲେ ଯେ, ବୋଧଗୟା ପବିତ୍ର ଭୂମି ଅଟେ, ଯାହାକି ବିଶ୍ଵର ଏକ ବିଶେଷ ସ୍ଥାନ ଅଟେ । ଏହି ବୁଦ୍ଧ ଭୂମିକୁ ଆସିଲେ ସମସ୍ତଙ୍କୁ ଶାନ୍ତି ମିଳିଥାଏ । ଏହି ପବିତ୍ର ମାଟିରେ ଭଗବାନ ବୁଦ୍ଧଙ୍କ ଜ୍ଞାନ ପ୍ରାପ୍ତି ହୋଇଥିଲା । ଭଗବାନ ବୁଦ୍ଧଙ୍କୁ ଦର୍ଶନ କରିବା ନିମନ୍ତେ ବିଶ୍ଵର ବିଭିନ୍ନ ପ୍ରାନ୍ତରୁ ଲୋକ ଏଠାକୁ ଆସିଥାନ୍ତି ।