
ଭୁବନେଶ୍ୱର– ଆସନ୍ତା ଜାନୁଆରୀ ୧୫ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ସମୂହ ଛୁଟିରେ ଯିବେ ଆୟୁଷ ଡାକ୍ତର । ରାଜ୍ୟରେ କାର୍ଯ୍ୟ କରୁଥିବା ୧୨୭୨ ଆରବିଏସ୍କେ ଆୟୁଷ ଡାକ୍ତର ସମୂହ ଛୁଟିରେ ଯିବେ ବୋଲି ଆରବିଏସ୍କେ ଆୟୁଷ ଡାକ୍ତର ସଂଘ ସଂଘର ସଭାପତି ପ୍ରଭାତ ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ଆମ ସହିତ ବାରମ୍ବାର ଆଲୋଚନା କରିଥିଲେ । ଆମ ଦାବି ସଂପର୍କରେ ବିଚାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଆମକୁ ଆନ୍ଦୋଳନକୁ ଯିବାକୁ ସେ ମନା କରିଥିଲେ । କିନ୍ତୁ ପ୍ରତିଶ୍ରୁତି ଗୁଡ଼ିକ ବାରମ୍ବାର ପ୍ରତାରଣାରେ ପରିଣତ ହେଉଛି । ରାଜ୍ୟରୁ ଠିକା ବ୍ୟବସ୍ଥା ଉଚ୍ଛେଦ ହେଲା ବୋଲି ଘୋଷଣା କରିଥିଲେ । ୫୭ ହଜାର କର୍ମଚାରୀଙ୍କ ପାଇଁ ଠିକା ବ୍ୟବସ୍ଥା ଉଚ୍ଛେଦ ହେଲା । କିନ୍ତୁ ଯେଉଁମାନେ ସ୍ୱାସ୍ଥ୍ୟସେବା ଭଳି ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଦାୟିତ୍ୱରେ ରହିଛନ୍ତି, ସେମାନଙ୍କ କଥାକୁ ବିଚାର କରାଯିବନି । ବାରମ୍ବାର ପ୍ରତିଶ୍ରୁତି, ଅନ୍ତମନ୍ତ୍ରୀମଣ୍ଡଳ କମିଟିର ବାରମ୍ବାର ଆଲୋଚନା ପାଇଁ ସମୟ ଧାର୍ଯ୍ୟ, ପୁଣି ବାତିଲ, ଏସମା ପ୍ରଣୟନ କରି ଅବହେଳିତ କର୍ମଚାରୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ସଙ୍କୁଚିତ କରିବା, ବିଭିନ୍ନ ଜିଲ୍ଲାରେ ନିଯୁକ୍ତ ପରିଚାଳନା କର୍ମୀଙ୍କ ଦୌରାତ୍ମ୍ୟ ଓ ସର୍ବୋପରି ଜାତୀୟ ସ୍ୱାସ୍ଥ୍ୟ ମିଶନ ଭଳି କେନ୍ଦ୍ରୀୟ ଯୋଜନାଭିତିକ ନିଯୁକ୍ତି ଯୋଗୁଁ ବର୍ଷ ବର୍ଷ ଧରି ଜଟିଳ ଓ ଉଚ୍ଚଶିକ୍ଷିତ ଆୟୁଷ ଡିଗ୍ରୀଧାରୀ ଡାକ୍ତରମାନଙ୍କୁ ସ୍ଥାୟୀ ଡାକ୍ତରର ମାନ୍ୟତା ନ ଦେବା ପ୍ରତିବାଦରେ ଆର.ବି.ଏସ୍.କେ ଆୟୁଷ ଡାକ୍ତର ସଂଘ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।
ଶନିବାର ସାମ୍ବାଦିକ ଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଭାପତି ଶ୍ରୀ ମହାନ୍ତି କହିଲେ ଯେ, ଆସନ୍ତା ଜାନୁଆରୀ ୧୫ତାରିଖ ସୁଦ୍ଧା ସରକାର ସଂଘର ଏକମାତ୍ର ଦାବି ସ୍ଥାୟୀ ନିଯୁକ୍ତିକୁ ପୂରଣ ନ କରନ୍ତି ତେବେ ଏସମା ଭଳି ତଥାକଥିତ ଆଇନକୁ ଖାତିର ନକରି ଜାନୁଆରୀ ଶେଷ ସପ୍ତାହରେ ସମୂହ ଛୁଟିରେ ଯିବା ସହ ଆନ୍ଦୋଳନ କରାଯିବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ସଂଘର ଉପଦେଷ୍ଟା ଡା ବିଶ୍ୱରଞ୍ଜନ ପ୍ରଧାନ, ଡା ସୁଦୀପ୍ତ ସାହୁ, ଡା ବିଜୟ ସାମଲ, କାର୍ଯ୍ୟକାରୀ ସଭାପତି ଡା ହିମାଂଶୁ ମିଶ୍ର, ଡା ଲିଙ୍ଗରାଜ ଦାଶ, ଡା ସ୍ୱାଗତିକା ଦାଶ, ଡା ଇନ୍ଦିରା ପ୍ରିୟଦର୍ଶିନୀ, ଡା କୈଳାଶ ମାଝୀ, ଡା ଜୟଶ୍ରୀ ଶ୍ରୀଚନ୍ଦନ, ଡା ଶୁଭେନ୍ଦୁ ସାଶ, ଡା ରାଜେଶ ଜେନାଙ୍କ ସମେତ ବିଭିନ୍ନ ଜିଲ୍ଲାର ପ୍ରମୁଖ ଡାକ୍ତରମାନେ ଯୋଗ ଦେଇଥିଲେ ।