
ଭୁବନେଶ୍ୱର– ପ୍ରଦେଶ ଯୁବ କଂଗ୍ରେସର ନିବନିଯୁକ୍ତ ସଭାପତି ରଣଜିତ ପାତ୍ର ଶନିବାର ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବାପରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିମାନ ବନ୍ଦର ଠାରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ବିମାନ ବନ୍ଦର ଠାରୁ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ଶ୍ରୀ ପାତ୍ରଙ୍କୁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଅଣାଯାଇଥିଲା । ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଶ୍ରୀ ପାତ୍ରଙ୍କୁ ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ପ୍ରସାଦ ହରିଚନ୍ଦନ, ବିଧାୟକ ସୁରେଶ କୁମାର ରାଉତରାୟ, ପିିସିିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ, କଟକ ଜିଲ୍ଲା କଂଗ୍ରେସ ସଭାପତ ମାନସ ଚୌଧୁରୀ ଏବଂ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ, ଦେବାଶଷ ପଟ୍ଟନାୟକ, ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜ ପ୍ରମୁଖ ଶ୍ରୀ ପାତ୍ରଙ୍କୁ ଶୁଭେଚ୍ଛା ଜଣାଇଥିଲେ ।
ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ପାତ୍ର କହିଥିଲେ ଯେ ଯୁବ କଂଗ୍ରେସ ଓଡ଼ିଶାର ବେକାର ଯୁବକ ଯୁବତୀମାନଙ୍କର ଦାବି ହାସଲ ପାଇଁ ଦୁର୍ବାର ଆନ୍ଦୋଳନ କରିବ । ଦୀର୍ଘ ୨୪ ବର୍ଷ ଧରି ଓଡ଼ିଶାର ଯୁବକ ଯୁବତୀ ନବୀନ ଶାସନର ଉଦାସୀନତାର ଶିକାର । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର କାର୍ଯ୍ୟକ୍ରମରେ ଯୁବକ ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଉନାହାନ୍ତି । ବିଜେଡ଼ି ଓ ବିଜେପି ଉପରେ ଓଡ଼ିଶାର ଯୁବ ସମାଜ ଆସ୍ଥା ତୁଟାଇ ସାରିଲେଣି । କାରଣ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦି ଯେଉଁ ପ୍ରତିଶ୍ରୁତି ଦେଇଇଥିଲେ ତାକୁ ପାଳନ କଲେ ନାହିଁ । ନବୀନ କହିଥିଲେ ବର୍ଷକୁ ୨ ଲକ୍ଷ ୨୬ ହଜାର ସରକାରୀ ପଦବୀ ଖାଲି ପଡ଼ିଛି । ୪୫୦ କୋଟି ଟଙ୍କା ବ୍ୟୟରେ ନବୀନ ସରକାର ଯେଉଁ ବିଜୁ ଯୁବବାହିନୀ ଗଠନ କରିଥିଲେ ତାହାକୁ ଏବେ ବନ୍ଦ କରିଦେଇଛନ୍ତି । ନବୀନ ସରକାର ଯେଉଁ ନିଯୁକ୍ତି ମେଳା କରିଥିଲେ, ତାହା ଏବେ ପ୍ରହସନରେ ପରିଣତ ହୋଇଛି । ଓଡ଼ିଶାର ୯ ଲକ୍ଷ ବେକାର ଯୁବକ ଯୁବତୀ ଏବେ ନାମ ପଞ୍ଜିକରଣ କରାଇ ବେକାର ବସିଛନ୍ତି । ସେହିପରି ନରେନ୍ଦ୍ର ମୋଦି କହିଥିଲେ ବର୍ଷକୁ ୨ କୋଟି ନିଯୁକ୍ତି ଦେବାକୁ । ଏବେ କେନ୍ଦ୍ର ସରକାରରେ ୧୦ଲକ୍ଷ ପଦବୀ ଖାଲି ପଡ଼ିଛି । ମୋଦି କହୁଛନ୍ତି “ପକୋଡା ବିକ୍ର”ମଧ୍ୟ ନିଯୁକ୍ତିର ଅଂଶବିଶେଷ । ଏଣୁ ଓଡ଼ିଶାର ବେକାର ଯୁବକ ଯୁବତୀ ଏବେ ଆନ୍ଧ୍ର, ସୁରାଟ ଯାଇଁ ପେଟ ପୋଷୁଛନ୍ତି, ଦାଦନ ଖଟୁଛନ୍ତି । ଯୁବ କଂଗ୍ରେସ ଆଗାମୀ ଦିନରେ ଓଡ଼ିଶାର ବେକାର ଯୁବକ ଯୁବତୀଙ୍କର ସଂଗ୍ରାମକୁ ତୀବ୍ରତର କରିବେ । ନବୀନ ଓ ମୋଦି ସରକାରଙ୍କର ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଏବଂ ବେକାର ଯୁବକ ଯବୁତୀମାନଙ୍କ ପ୍ରତି ହେଉଥିବା ଅବିଚାର ବିରୁଦ୍ଧରେ ତୃଣମୂଳ ସ୍ତରରୁ ଆନ୍ଦୋଳନ କରିବ । ଯୁବ କଂଗ୍ରେସର ଆହ୍ୱାନ ହେଉଛି “ନିଯୁକ୍ତି ଦିଅ ନହେଲେ ଗାଦି ଛାଡ” ।