ବଲାଙ୍ଗୀର– ଜିଲ୍ଲା ମୁଖ୍ୟାଳୟର ପୁରୁଣା ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ଓ ପିରାମଲ ଫାଉଂଡେସନର ଆନୁକୂଲ୍ୟରେ ଏକ ୨ ଦିନିଆ ଏନ.ଜି.ଓ. କର୍ମଶାଳା ଅନୁଷ୍ଠିତ ହୋଇଛି। ଅତିରିକ୍ତ ଜିଲାପାଳ ଲମ୍ବୋଦର ଧରୁଆ ତଥା ନିତି ଆୟୋଗ ପ୍ରଭାରୀ ସୋନିଆଶ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏହି କର୍ମଶାଳାରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ବିଭିନ୍ନ ଏନ.ଜି.ଓ. ସଂସ୍ଥା ଗୁଡିକୁ ଏକତ୍ରିତ ହୋଇ ଜିଲ୍ଲାର ଉନ୍ନତିରେ ଏକ ମହତ୍ଵପୁର୍ଣ ଭୂମିକା ଗ୍ରହଣ କରିବା ସହ ସମାଜର ତୃଣମୂଳ ସ୍ତରକୁ ସୁଦୃଢ କରାଇବା ଉପରେ ବିଶଦ ଆଲୋଚନା ହୋଇଥିଲା। ପ୍ରଶାସନର ତତ୍ଵାବଧାନରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ସତ୍ବେ ଏନ.ଜି.ଓ. ସଂସ୍ଥାଗୁଡିକ ଜିଲ୍ଲାର ଅପପୁଷ୍ଟି, ରକ୍ତହୀନତା ଓ ପ୍ରାକ ମେଟ୍ରିକ ଛାତ୍ରବୃତ୍ତି ଆଦି କାର୍ଯ୍ୟକୁ ମିଳିତ ଭାବରେ କରିପାରିଲେ ସମ୍ପୂର୍ଣ ଲକ୍ଷ୍ୟ ସାଧନ ସହଜ ସାପେକ୍ଷ ହୋଇପାରିବ ବୋଲି ମତ ପ୍ରକାଶ ପାଇଛି।
ଏହି କର୍ମଶାଳାରେ ସମ୍ମାନିତ ଅତିଥି ଭାବରେ ଆଲେଖ ବିଶ୍ଵାଳ, ସମାଜ ମଂଗଳ ଅଧିକାରୀ ଖାଗେଶ୍ଵର ମହାକୁଡ଼, ଜିଲ୍ଲା ଛାତ୍ରବୃତ୍ତି କୋଡିନେଟର ଶାଶ୍ଵତ କୁମାର ପାଣିଗ୍ରାହୀ, ଜିଲ୍ଲା ପୋଷଣ କୋଡିନେଟର ସମସ୍ତ ଆଞ୍ଚଳିକ ଏନ. ଜି.ଓ. ଗୁଡିକ ଏକତ୍ରିତ ହୋଇଥିଲେ । ଅତିଥି ମାନେ ଏନ. ଜି.ଓ. ଗୁଡିକ ସମାଜର ମଙ୍ଗଳ କରିବା ଉଦ୍ଦେଶ୍ୟରେ ସମସ୍ତ କାର୍ଯ୍ୟ କରିବା ସହ ବଲାଙ୍ଗୀର ଜିଲ୍ଲାକୁ କିପରି ଆକାଂକ୍ଷୀ ଜିଲ୍ଲାରୁ ପ୍ରେରଣା ଦାୟକ ଜିଲ୍ଲା ଗଢିବା ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପିରାମଲ ଫାଉଁଣ୍ଡସନ ଜିଲ୍ଲା ପ୍ରଶାସନ ଓ ଆଞ୍ଚଳିକ ଏନ. ଜି.ଓ. ଗୁଡିକ ସହଭାଗିତା ହୋଇ ସେହି ଲକ୍ଷ୍ୟ ପୂରଣ ହୋଇପାରିବ ତାହା ଉପରେ କାର୍ଯ୍ୟ ଯୋଜନା ତିଆରି କରାଗଲା।
ଆଜି ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜିଲ୍ଲାରେ କାର୍ଯ୍ୟ କରୁଥିବା ଏନ.ଜି.ଓ. ମାନଙ୍କ ସହମତିରେ ଏନ.ଜି.ଓ. ଫୋରମ୍ ର ଗଠନ କରାଗଲା। ପ୍ରାକ ମେଟ୍ରିକ ଛାତ୍ରବୃତ୍ତି ଆଦି କାର୍ଯ୍ୟକ୍ରମକୁ କିପରି ସବୁ ପିଲା ମାନଙ୍କୁ ମିଳିପାରିବ ସେଥିପାଇଁ ବିଶେଷ ଆଲୋଚନା କରିବା ସହିତ ମିଳିତ ଭାବରେ ଯୋଜନା ବି ତିଆରି କରାଗଲା। ଏହିପରି ଭାବରେ ଆଗାମୀ ଦିନରେ ଅପପୁଷ୍ଟି, ରକ୍ତହୀନତା ବିଷୟରେ ବିଶେଷ ଆଲୋଚନା କରାଯିବ ।