ଧର୍ମଶାଳା– ଦୀର୍ଘ ଦିନ ଧରି ପ୍ରଶାସନକୁ ଭୁଆଁ ବୁଲାଇ ଚୋରା କାଠ ବ୍ୟବସାୟ ଚାଲିଥିଲା । ଫଳରେ କାଠ ମାଫିଆମାନେ ସକ୍ରୀୟ ହୋଇ ଗଛ କାଟି ମାଲେମାଲ ହେଉଥିଲେ । କୌଣସି ସୂତ୍ରରୁ ଖବର ପାଇ ଯାଜପୁର ଜିଲା ରସୁଲପୁର ବ୍ଲକ ସାମନ୍ତରାପୁର ପଂଚାୟତସ୍ଥ ବାଲିକୁଦା ଗ୍ରାମରେ କଟକ ଭିଜିଲାନ୍ସ ଓ ଡାଳିଯୋଡା ବନବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇ ଜଣେ ଜନୈକ କାଠ ବ୍ୟବସାୟୀଙ୍କ ବ୍ୟବସାୟ ପ୍ରତିଷ୍ଠାନରୁ ବିପୁଳ ପରିମାଣର କାଠ ସହ ଏକ ବ୍ୟବହୃତ ଟ୍ରକ ଓ କିଛି ଯନ୍ତ୍ରାଶଂକୁ ଜବତ କରିଛି । ଜବତ କାଠର ଆନୁମାନିକ ପାଖାପାଖି ୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ମିଳିଥିବା ସୂଚନା ମୁତାବକ, ରସୁଲପୁର ବ୍ଲକ ସାମନ୍ତରାପୁର ପଂଚାୟତସ୍ଥ ବାଲିକୁଦା ଅଂଚଳର ଉଦୟନାଥ ସାହୁ ଦୀର୍ଘ ଦିନ ଧରି ଜିଲାର ବିଭିନ୍ନ ସ୍ଥାନରୁ ଚୋରାରେ କାଠ ଆଣିବା ସହ ଗ୍ରାମାଚଂଳରୁ କିଛି କ୍ଷୁଦ୍ର ବ୍ୟବସାୟୀଙ୍କ ନିକଟରୁ ମଧ୍ୟ କାଠ ଆଣି ଫନିଚର ଦୋକାନରେ ରଖି ବିଭିନ୍ନ ଘରୋଇ କାର୍ଯ୍ୟରେ ବ୍ୟବହୃତ କରିଥାନ୍ତି । ଏହା ସହିତ ବେଆଇନ ଭାବେ ଶାଗୁଆନ, ପଣସ ଓ ଗମ୍ଭାରୀ ଗଛ କାଟି ଏହି କାଠକୁ ନିଜ ବ୍ୟବସାୟ ପ୍ରତିଷ୍ଠାନରେ ମହଜୁଦ ରଖି ଜିଲାର ବିଭିନ୍ନ ସ’ମିଲରେ କାଠ ଚିରାଇଥାନ୍ତି । ତେବେ କୌଣସି ସୂତ୍ରରୁ କଟକ ଭିଜିଲାନ୍ସ ଟିମ୍ ଖବର ପାଇଥିଲେ । ଭିଜିଲାନ୍ସ ଟିମ୍ ଓ ଡାଳିଯୋଡା ବନବିଭାଗ ମିଳିତ ଭାବେ ଆଜି ଅପରାହ୍ନରେ ବାଲିକୁଦା ଗ୍ରାମରେ ଚଢଉ କରିଥିଲେ । ପାଖାପାଖି ୪୦ରୁ ଉର୍ଦ୍ଧ କର୍ମଚାରୀ ଏହି ଚଢଉରେ ସାମିଲ ହୋଇଥିଲେ । ଘଟଣାସ୍ଥଳରେ ଅଧିକାରୀମାନେ ପଂହଚି ୩୦ ସିଫ୍ଟ କାଠ ଗଣ୍ଡି ଜବତ କରିଥିଲେ । ଏବଂ ଚୋରାକାଠ ଚାଲାଣରେ ବ୍ୟବହୃତ ଏକ ଟ୍ରକ ଓ କିଛି ଯନ୍ତ୍ରାଶଂକୁ ମଧ୍ୟ ଜବତ କରାଯାଇଛି । ଚଢଉ ଭୟରେ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଜବତ କାଠର ଆନୁମାନିକ ମୂଲ୍ୟ ପାଖାପାଖି ୧ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।