ଭୁବନେଶ୍ୱର– ଚାଷୀର ଭାବାବେଗ ସହିତ ନିଜକୁ ସଂଶ୍ଳିଷ୍ଟ କରି ଚାଷୀ ଓ ଚାଷର ଉନ୍ନତି ନିମନ୍ତେ ଆମକୁ କାମ କରିବାକୁ ପଡ଼ିବ । ପ୍ରତିଦିନ ନୂତନ ଜ୍ଞାନର ବିସ୍ପୋରଣ ଓ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ କୃଷି ଉତ୍ପାଦନ ବୃଦ୍ଧି ନିମନ୍ତେ ସମୟୋପଯୋଗୀ ତଥା କୃଷି-ଉପଯୋଗୀ ଜ୍ଞାନକୌଶଳର ବିକାଶ ଆବଶ୍ୟକ । ଏହି ପରିପ୍ରେକ୍ଷୀରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।
ଶୁକ୍ରବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ତିନିଦିନିଆ କୃଷି-ଶିକ୍ଷା ମେଳାର ଅନ୍ତିମ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଗୋଟିଏ ଛାତତଳେ କୃଷି ଓ କୃଷକ ଏବଂ କୃଷି-ଗବେଷକଙ୍କ ସହିତ ଆଲୋଚନାର ଆୟୋଜନ ଏକ ଅଭିନବ ପ୍ରୟାସ । ଏହା ଦ୍ୱାରା ରାଜ୍ୟର କୃଷକ ତଥା କୃଷି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନେ ନିଶ୍ଚିତ ଭାବେ ଉପକୃତ ହୋଇପାରିବେ ।
ଉତ୍ସବରେ ପୌରୋହିତ୍ୟ କରି କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଲେ ଯେ କୃଷି ଗ୍ରାମୀଣ ଅର୍ଥନୀତି ଓ ସଂସ୍କୃତିକୁ ପରିପୁଷ୍ଟ କରିଥାଏ । କୃଷି ପ୍ରକୃତି ଓ ପରିବେଶ ସହିତ ଜଡ଼ିତ । ଏହି ପରିପ୍ରେକ୍ଷୀରେ ପରିବେଶ ଅନୁକୂଳ କୃଷି କାର୍ଯ୍ୟ କରିବା ଦିଗରେ ବିଶେଷ ଧ୍ୟାନ ଦିଆଯାଉଛି । ଉତ୍ସବରେ ଜଙ୍ଗଲ ବିଭାଗର ପିସିସିଏଫ୍ ଦେବୀଦତ ବିଶ୍ୱାଳ, ବିଶିଷ୍ଟ ଅତିଥି ଓ ନନ୍ଦନକାନନ ବାୟୋଲୋଜିକାଲ ପାର୍କର ନିର୍ଦ୍ଦେଶକ ମନୋଜ ଭି. ନାୟାର ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟ ଅର୍ଥନୀତିରେ କୃଷିର ଗୁରୁତ୍ୱ ଏବଂ କୃଷକମାନଙ୍କ ବିକାଶ ଦିଗରେ ଯୁଗୋପଯୋଗୀ ପଦକ୍ଷେପ ନିଆଯିବା ଉପରେ ଆଲୋଚନା କରିଥିଲେ ।
କୃଷିଶିକ୍ଷା ମେଳା ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯିବା ସହିତ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ରାଜ୍ୟର କୃଷକ ଉତ୍ପାଦକ ଗୋଷ୍ଠୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର ଗବେଷଣା ବିଭାଗର ଡିନ୍ ଡ. ଏସ୍.କେ. ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଡିନ୍ ଡ. ପ୍ରସନ୍ନଜିତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବ ଅବସରରେ ବିଶ୍ୱବିଦ୍ୟାଳୟର ପରିସରରେ ଆୟୋଜିତ ପ୍ରଦର୍ଶନୀକୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବୁଲି ଦେଖିଥିଲେ ।