ଭୁବନେଶ୍ୱର – ନୂଆବର୍ଷର ପ୍ରଥମ ଦିନର ମଧ୍ୟ ରାତ୍ରିରୁ ରେଳଭଡ଼ା କି.ମି. ପିଛା ୧ ପଇସାରୁ ୪ ପଇସା ବୃଦ୍ଧି ଏବଂ ନୂଆ ବର୍ଷର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ୧୯ ଟଙ୍କା ବୃଦ୍ଧି ମୋଦି ସରକାରଙ୍କର ଦେଶବାସୀଙ୍କୁ ନୂଆବର୍ଷର ଭେଟି ବୋଲି ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି । ପାର୍ଟିର ରାଜ୍ୟ ସଭାପତି ଶ୍ରୀ ରବି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ରେଳଭଡ଼ା ବୃଦ୍ଧି ଓ ରନ୍ଧନଗ୍ୟାସ ଦରବୃଦ୍ଧିକୁ ବିରୋଧ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଏହି ବୈଠକରେ ପ୍ରସ୍ତାବ ଆଗତ କରି ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ସୁଦର୍ଶନ ପ୍ରଧାନ କହିଥିଲେ ଯେ, ୨୦୧୪ ମସିହାରେ ଦେଶବାସୀଙ୍କୁ ‘ଆଚ୍ଛାଦିନ’ର ପ୍ରତିଶ୍ରୁତି ଦେଇଥିବା ଏନ୍ଡିଏ ସରକାର ଅମଳରେ ପିଆଜ କିଲୋ ପିଛା ୨୦୦ ଟଙ୍କା, ଆଳୁ କିଲୋ ପିଛା ୪୦ ଟଙ୍କା ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ଖାଇବା ତେଲ, ଡାଲି ପ୍ରଭୃତିର ଆକାଶଛୁଆଁ ଦରବୃଦ୍ଧି ହୋଇଛି । ନୂଆବର୍ଷ ଦିନ ସରକାର ରେଳଭଡ଼ା କିଲୋମିଟର ପିଛା ୧ ପଇସାରୁ ୪ ପଇସା ବୃଦ୍ଧି କରିବା ଫଳରେ ଏହାର ପ୍ରତିକୂଳ ପ୍ରଭାବ ଆଗାମୀ ଦିନରେ ଦରଦାମ୍ ବୃଦ୍ଧିର ଆଶଙ୍କା ଦେଖାଦେବ । ଜାଳେଣୀ ଗ୍ୟାସ ବଢ଼ିବା ଭାତ ହାଣ୍ଡି ଉପରେ ସିଧାସଳଖ ଆକ୍ରମଣ ବୋଲି ଦଳ ଅଭିଯୋଗ କରିଛି । ଏହି ଦରବୃଦ୍ଧିକୁ ସରକାର ପ୍ରତ୍ୟାହାର ନକଲେ ସମଜାବାଦୀ ପାର୍ଟି ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନି ଦିଆଯାଇଛି । ଏହି ବୈଠକରେ ପାର୍ଟିର କୋଷାଧ୍ୟକ୍ଷ ସଂଜୟ ନାୟକ, ଯୁବନେତା ଶରତ ଚନ୍ଦ୍ର ବେହେରା, ନାରୀ ନେତ୍ରୀ ରୀତା ପଟ୍ଟନାୟକ, ଯୁବ ସଭାପତି ସୁବ୍ରତ ଲେଙ୍କା, ସୁନୀଲ ମିଶ୍ର, ସୁଶୀଲ ହୋତା, ନରେଶ ବେହେରା, ଦେବାଶିଷ ମହାପାତ୍ର, ଦେଶପ୍ରିୟ ଦାସ, ପ୍ରଦୋଷ ଜେନା, ଜୟକୃଷ୍ଣ ପରିଡ଼ା ପ୍ରମୁଖ ଏହି ବୈଠକରେ ଉପସ୍ଥିତ ରହି ଆଲୋଚନା କରିଥିଲେ ।
Related Stories
November 24, 2024
November 24, 2024