ବଲାଙ୍ଗିର– ଜନସାଧାରଣଙ୍କ ମଧ୍ୟରେ ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡିସେମ୍ବର ୧୭ ରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ଵର କାର୍ଯ୍ୟାଳୟ ପକ୍ଷରୁ ଆର୍ଥିକ ସାକ୍ଷରତା ଏବଂ ସଚେତନତା ଉପରେ ଏକ ୱାକାଥନ୍ କରାଯାଇଥିଲା । ଏହି ୱାକାଥନ୍ ପି.ଆର.ହାଇସ୍କୁଲ ପଡିଆ ବଲାଙ୍ଗିରରୁ ଆରମ୍ଭ ହୋଇ ବଲାଙ୍ଗିର ଲ କଲେଜ ଠାରେ ଶେଷ ହୋଇଥିଲା ଏବଂ ଏଥିରେ ବିଭିନ୍ନ ଟାର୍ଗେଟ ଗୋଷ୍ଠୀ ଯଥା ଛାତ୍ର ଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ, ଉଦ୍ୟୋଗୀ, କୃଷକ, ବରିଷ୍ଠ ନାଗରିକ ଇତ୍ୟାଦିରୁ ପ୍ରାୟ ୩୦୦ ଜଣ ଅଂଶଗ୍ରହଣ କରିଥିଲେ । ୱାକାଥନ ପରେ ଏକ କ୍ଷେତ୍ର ସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଭୁବନେଶ୍ଵର କାର୍ଯ୍ୟାଳୟର ବିଭିନ୍ନ ଅଧିକାରୀଙ୍କ ଦ୍ଵାରା ସାଇବର ସିକ୍ୟୁରିଟି, ଡିଜିଟାଲ ବ୍ୟାଙ୍କିଙ୍ଗ, ବିଭିନ୍ନ ପ୍ରକାରର ଠକେଇ, ବ୍ୟାଙ୍କରେ ଅଭିଯୋଗ ସମାଧାନର ବ୍ୟବସ୍ଥା ଇତ୍ୟାଦି ଉପରେ ଅଧିବେଶନ ନିଆଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଭାରତୀୟ ରିଜର୍ଭ ବ୍ୟାଙ୍କର ଜେନେରାଲ ମ୍ୟାନେଜର ଅନିତା ପଟ୍ଟନାୟକ, ଡେପୁଟି ଜେନେରାଲ ମ୍ୟାନେଜର ମାରୁତ ପ୍ରକାଶ ବେହେରା, ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଋଷିକେଶ ଡି ଖିଲାରି, ଭାରତୀୟ ରିଜର୍ଭ ବ୍ୟାଙ୍କର ଅଧିକାରୀ ପ୍ରଶାନ୍ତ କୁମାର ଜେନା, ସନ୍ତୋଷ କୁମାର ମିଶ୍ର ଓ ରଶ୍ମି ରଂଜନ ସାହୁ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । କାନାରା ବ୍ୟାଙ୍କ ଓ ଅନ୍ୟାନ୍ୟ ବ୍ୟାଙ୍କ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।