ଭୁବନେଶ୍ୱର– ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କଙ୍ଗୋରେ ଫସିଥିବା ଓଡିଆ ଯୁବକ ଦିବାକର ଜେନାଙ୍କ ମରଶରୀର ଓ ଅନ୍ୟ ୫ଜଣ ଓଡିଆ ଯୁବକଙ୍କୁ ଉଦ୍ଧାର କରି ସ୍ୱଦେଶ ଫେରାଇ ଆଣିବାପାଇଁ ସହଯୋଗର ହାତ ବଢାଇଛନ୍ତି । ଏନେଇ ଶ୍ରୀ ପଣ୍ଡା କଙ୍ଗୋଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଛନ୍ତି ।
ସୂଚନାଯୋଗ୍ୟ, କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ପ୍ରଭାକର ଜେନାଙ୍କ ପୁଅ ଦିବାକର ଜେନା ଗତ ମେ ୨୦୨୩ରୁ ଅଧିକ ରୋଜଗାର ଆଶାରେ ଦକ୍ଷିଣ ଆଫ୍ରିକା ଯାଇ କଙ୍ଗୋଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । କିନ୍ତୁ ଚଳିତ ମାସ ୧୬ ତାରିଖରେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା କମ୍ପାନୀ କତୃପକ୍ଷ ଜାଣାଇଥିଲେ ମଧ୍ୟ ମୃତ୍ୟୁର କାରଣ ସ୍ପଷ୍ଟ କରିନଥିଲେ । ସେହିପରି ଆଳି ଥାନା ଅନ୍ତର୍ଗତ ମାନପୁର ଗ୍ରାମର ନରେଶ ଜେନା, ଦୁଃଶାସନ ମଲ୍ଲିକ, ରଞ୍ଜିତ ବାରିକ, ଯାଜପୁର ଜିଲ୍ଲା କୁସୁନିପୁର ଗ୍ରାମର ବିକାଶ କୁମାର ବାରିକ ଓ ପ୍ରଭାସ କୁମାର ମଲ୍ଲିକ ମଧ୍ୟ ଦିବାକରଙ୍କ ସହିତ କଙ୍ଗୋର ଉକ୍ତ କମ୍ପାନୀରେ କାମ କରୁଥିଲେ । ମାତ୍ର କମ୍ପାନୀ କତୃପକ୍ଷ ସେମାନଙ୍କୁ ସମ୍ପୂର୍ଣ୍ଣ ଦରମା ନଦେଇ ନାନା ପ୍ରକାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଇତିମଧ୍ୟରେ ଦିବାକରଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ଅନ୍ୟ ୫ଜଣଙ୍କ ଜୀବନ ପ୍ରତି ବିପଦ ଥିବା ପରିବାର ଲୋକ ଆଶଙ୍କା କରୁଛନ୍ତି । ଉପାୟଶୂନ୍ୟ ହୋଇ ଶେଷରେ ପରିବାର ଲୋକ ଶ୍ରୀ ପଣ୍ଡାଙ୍କ ହସ୍ତକ୍ଷେପ ଲୋଡିଥିଲେ । ଅନୁରୋଧକ୍ରମେ ଶ୍ରୀ ପଣ୍ଡା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତନ ନିମନ୍ତେ ଆବଶକୀୟ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ।