ଉଜ୍ଜୟିନୀ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜିଏସଆଇ ମଙ୍ଗଳବାର ମହାକାଳ ମନ୍ଦିରରୁ ଭଗବାନଙ୍କୁ ଅର୍ପଣ କରାଯାଉଥିବା ଭସ୍ମ, ଜଳ ଓ ଭାଙ୍ଗର ନମୁନା ସଂଗ୍ରହ କରିଛି ।
ପ୍ରାୟ 6ବର୍ଷ ପୂର୍ବେ ଭଗବାନ ମହାକାଳେଶ୍ୱରଙ୍କ ଶିବଲିଙ୍ଗ କ୍ଷରଣ ଏବଂ ମନ୍ଦିରର ସମ୍ପଦ ନଷ୍ଟ ହେବା ସହ ଅନ୍ୟ ଅବ୍ୟବସ୍ଥାକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାୟର ହୋଇଥିଲା । ଏହା ଉପରେ ସୁପ୍ରିମକୋର୍ଟ ମନ୍ଦିରର ପରମ୍ପରା ଓ ପୂଜନ ପଦ୍ଧତି ଉପରେ ହସ୍ତକ୍ଷେପ କରିବାକୁ ମନା କରିଦେଇଥିଲେ । କିନ୍ତୁ ଶିବଲିଙ୍ଗ କ୍ଷରଣ ରୋକିବା ଏବଂ ମନ୍ଦିରର ସମ୍ପଦକୁ ସୁରକ୍ଷିତ ରଖିବା ପାଇଁ ଏଏସଆଇ ଓ ଜିଏସଆଇକୁ ଗାଇଡଲାଇନ ବନାଇବାକୁ ନିର୍ଦ୍ଦେଶ ଦେଇଥିଲେ ।
ଦୁଇ ସଂସ୍ଥାର ଗାଇଡଲାଇନ ପାଳନ କରିବାକୁ କୋର୍ଟ ମନ୍ଦିର ପ୍ରବନ୍ଧ ସମିତି ଓ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଏହାସହିତ କୋର୍ଟ ଜିଏସଆଇ, ଏଏସଆଇକୁ ପ୍ରତି 6ମାସରେ ମନ୍ଦିର ସହିତ ଶିବଲିଙ୍ଗର ନିରୀକ୍ଷଣ, ଭଗବାନଙ୍କୁ ଅର୍ପଣ କରାଯାଉଥିବା ସାମଗ୍ରୀ ପରୀକ୍ଷଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କ୍ରମରେ ଜିଏସଆଇର 7ଜଣ ସଦସ୍ୟ ଟିମ୍ ସୋମବାର ସନ୍ଧ୍ୟାରେ ଉଜ୍ଜୟିନୀରେ ପହଞ୍ଚିଥିଲେ । ଏହାପୂର୍ବରୁ ମଧ୍ୟ ଜିଏସଆଇ ଓ ଏଏସଆଇ ଟିମ୍ ଏଠାକୁ ଆସି ଯାଞ୍ଚ କରିଛି ।