
-
ଭିତିଭୂମିର ବିକାଶ ଦିଗରେ କନିଷ୍ଠ ଯନ୍ତ୍ରୀମାନଙ୍କ ଭୂମିକା ଅପରିହାର୍ଯ୍ୟ : ଅର୍ଥ ମନ୍ତ୍ରୀ
ଭୁବନେଶ୍ୱର – ବୈଷୟିକ ଜ୍ଞାନକୌଶଳ ହେଉଛି ବିକାଶର ଚାବିକାଠି ଓ ପ୍ରଗତିର ଇଂଜିନ୍ । ସାଂପ୍ରତିକ ସମୟରେ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ଓ ଆବଶ୍ୟକତା ରହିଛି । ମଣିଷର ଜୀବନଧାରଣ ମାନରେ ଉନ୍ନତି ଆଣିବା କ୍ଷେତ୍ରରେ ପ୍ରାକୃତିକ ସଂପଦକୁ ବିନିଯୋଗ କରିବାର ପରିକଳ୍ପନା ଓ ତୃଣମୂଳ ସ୍ତରରେ ଏହାର ବାସ୍ତବ ଏବଂ ସଫଳ ରୂପାୟନ କେବଳ ଡିପ୍ଲୋମା ଇଂଜିନିୟରମାନଙ୍କ ଦ୍ୱାରା ସମ୍ଭବ । ଗମନାଗମନର ସୁବିଧା ନିମନ୍ତେ ନଦୀ ଉପରେ ସେତୁ ନିର୍ମାଣ କରିବା ଭଳି ସମାଜ ସହିତ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ସଂପର୍କର ସେତୁ କନିଷ୍ଠ ଯନ୍ତ୍ରୀମାନେ ନିର୍ମାଣ କରିଥା’ନ୍ତି । ଆଜି ଏହି ଏକବିଂଶ ଶତାବ୍ଦୀରେ ଆମେ ଯେଉଁଠାରେ ପହଂଚିପାରିଛେ ସେସବୁ କେବଳ ସେମାନଙ୍କ ବୁଦ୍ଧିମତା, ନିଷ୍ଠା, ଆନ୍ତରିକତା ଯୋଗୁଁ ସମ୍ଭବ ହୋଇପାରିଛି । ଜୀବନଧାରଣ ମାନରେ ଉନ୍ନତି ସହିତ ଜନସାଧାରଣଙ୍କ ନିତିଦିନିଆ ଚଳଣିରେ ବ୍ୟାପକ ପରିବର୍ତନ ସେମାନଙ୍କ ଯୋଗୁଁ ଆସିପାରିଛି । ଉନ୍ନତ ଜୀବନଧାରଣ ଓ ଭିତିଭୂମିର ବିକାଶ ଦିଗରେ କନିଷ୍ଠ ଯନ୍ତ୍ରୀମାନଙ୍କ ଭୂମିକା ଅପରିହାର୍ଯ୍ୟ ବୋଲି ଅର୍ଥ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ମତପ୍ରକାଶ କରିଛନ୍ତି ।
ମଙ୍ଗଳବାର ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ୍ ଆସୋସିଏସନ୍ ର ୭୮ତମ ବାର୍ଷିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅର୍ଥ ମନ୍ତ୍ରୀ କହିଲେ ଯେ ରାଜ୍ୟର ଉପାନ୍ତ ଓ ଅଗମ୍ୟ ଅଂଚଳରେ ଥିବା ବ୍ଲକଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ସବୁଠାରେ ଡିପ୍ଳୋମା ଇଂଜିନିୟରମାନେ ସେମାନଙ୍କର ଉପସ୍ଥିତି ଜାହିର କରି ଓଡ଼ିଶାର ପ୍ରଗତିରେ ସେମାନଙ୍କର ବହୁମୂଲ୍ୟ ସେବା ଯୋଗାଇଦେଇ ଆସୁଛନ୍ତି । ସଂଘର ୪୬ଟି ଜିଲ୍ଲାସ୍ତରୀୟ କମିଟି ଓ ସମସ୍ତ ୩୧୪ଟି ବ୍ଲକ୍ ସ୍ତରୀୟ କମିଟି କାର୍ଯ୍ୟକରିବା ଏହି ସଂଘର ଗୁରୁତ୍ୱ ଓ ଦୃଢ଼ତା ସଂପର୍କରେ ସୂଚାଇଥାଏ । ସଂଘର ସଭ୍ୟ ସଂଖ୍ୟା ୮୫୦୦ରୁ ଊର୍ଦ୍ଧ୍ୱ ହୋଇଥିବାବେଳେ ରାଜ୍ୟ ସରକାରଙ୍କ ପୂର୍ତ, ଜଳସଂପଦ, ଗ୍ରାମ୍ୟ ଉନ୍ନୟନ, ପଂଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ, ଶକ୍ତି, କୃଷି ଓ କୃଷକ ସଶକ୍ତିକରଣ, ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଡିପ୍ଲୋମା ଇଂଜିନିୟରମାନେ କାର୍ଯ୍ୟକରି ଅର୍ଥନୈତିକ ପ୍ରଗତି ଓ ଓଡ଼ିଶାର ସର୍ବାଙ୍ଗୀନ ବିକାଶ ଦିଗରେ ଅର୍ଥପୂର୍ଣ୍ଣ ଯୋଗଦାନ କରିଆସିଛନ୍ତି ।
ଭିତିଭୂମିର ବିକାଶ ଆଜି ଦେଶ ପ୍ରଗତିର ମାପକାଠି । ଗ୍ରାମାଂଚଳରେ ଉନ୍ନତ ଗମନାଗମନ ସୁବିଧା ଓ ଭିତିଭୂମି ନିର୍ମାଣ ପାଇଁ ସରକାର ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ବିଜୁ ସେତୁ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, କଂକ୍ରିଟ୍ ରାସ୍ତା, କୋଠାବାଡ଼ି ନିର୍ମାଣ, ରାଜପଥ ନିର୍ମାଣ, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ଗ୍ରାମ୍ୟ ଭିତିଭୂମି ଉନ୍ନୟନ ପାଣ୍ଠି ଆଦି ପ୍ରତ୍ୟେକଟି କ୍ଷେତ୍ରରେ ଡିପ୍ଲୋମା ଇଂଜିନିୟରମାନଙ୍କର ଅବଦାନ ପରିଦୃଶ୍ୟ ହୋଇଥାଏ । ସରକାରଙ୍କ ବହୁ ମହତ୍ୱାକାଂକ୍ଷୀ ଯୋଜନାର ସଫଳ ରୂପାୟନ କରି ହିତାଧିକାରୀମାନଙ୍କୁ ସିଧାସଳଖ ଯୋଜନାର ଲାଭ ପହଂଚାଇବା କନିଷ୍ଠ ଯନ୍ତ୍ରୀମାନଙ୍କର ପାରଦର୍ଶିତା ଉପରେ ନିର୍ଭର କରେ । କନିଷ୍ଠ ଯନ୍ତ୍ରୀମାନଙ୍କ ଦକ୍ଷତା, ବୈଷୟିକ ଜ୍ଞାନକୌଶଳ, ସମୟୋପଯୋଗୀ ପଦକ୍ଷେପ ଏବଂ ଦାୟିତ୍ୱବୋଧ ବିନା ଏହି ବିକାଶର ସଫଳ ରୂପାୟନ ହୋଇପାରିବ ନାହିଁ ବୋଲି ମତପ୍ରକାଶ କରି ଅର୍ଥମନ୍ତ୍ରୀ ଶ୍ରୀ ଆରୁଖ ସେମାନଙ୍କ ନ୍ୟାୟୋଚିତ ଦାବୀଗୁଡିକୁ ସରକାର ସହୃଦୟତାର ସହ ବିଚାର କରିବେ ବୋଲି କହିଥିଲେ ।
ସମ୍ମାନିତ ଅତିଥିଭାବେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗ ଦେଇ କହିଲେ ଯେ, କନିଷ୍ଠ ଯନ୍ତ୍ରୀମାନେ ଆହରଣ କରିଥିବା ଜ୍ଞାନ ଓ ଶିକ୍ଷାର ଉପଯୁକ୍ତ ବିନିଯୋଗ ଏବଂ କର୍ତବ୍ୟପାଳନ ପ୍ରତି ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଆଜି ସେମାନେ ଆଧୁନିକ ବିଶ୍ୱକର୍ମା ଭାବେ ଅଭିିହିତ ହୋଇଛନ୍ତି । ସବୁଠାରୁ ବଡ କଥା ହେଉଛି ସମାଜ ପ୍ରତି ଆମର ପ୍ରତିବଦ୍ଧତା । ଏଠି କନିଷ୍ଠ ଯନ୍ତ୍ରୀମାନେ କେବଳ ବାର୍ଷିକ ଉତ୍ସବ ବା ସମ୍ମିଳନୀକୁ ପାଳନ କରିବା ପାଇଁ ଏକତ୍ରିତ ହୋଇନାହାନ୍ତି । ଇଂଜିନିୟରିଂ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ନିଜ ନିଜର ଅଭିଜ୍ଞତା ଓ ବୁଦ୍ଧିମତାକୁ ପରସ୍ପର ମଧ୍ୟରେ ଆଦାନପ୍ରଦାନ କରିବା ପାଇଁ ଏକତ୍ରିତ ହୋଇଛନ୍ତି ବୋଲି ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ ।
ଓଡ଼ିଶା ଡିପ୍ଲୋମା ଇଂଜିନିୟରିଂ ସେବାସଂଘର ସଭାପତି ଇଂ. ଶ୍ରୀକାନ୍ତ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ସଂଘର ଉପଦେଷ୍ଟା ଇଂ. ସଚିତ୍ର ମୋହନ ରାଉଳ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସାଧାରଣ ସଂପାଦକ ଇଂ. ଶ୍ରୀଧର ବାରିକ ବାର୍ଷିକ ବିବରଣୀ ପାଠ କରିଥିଲେ । ସଂଘର ପୂର୍ବତନ ସାଧାରଣ ସଂପାଦକ ଇଂ. ନରେନ୍ଦ୍ର କୁମାର ନାୟକ ରାଜ୍ୟରେ ଡିଗ୍ରୀ ଇଂଜିନିୟରମାନଙ୍କ ପଦୋନ୍ନତି ସୁବିଧା ଅନୁରୂପ କନିଷ୍ଠ ଯନ୍ତ୍ରୀମାନେ ପଦୋନ୍ନତି ସୁଯୋଗ ପାଇବା ଜରୁରୀ ବୋଲି ମତପ୍ରକାଶ କରିଥିଲେ । ସଂଘର ଉପସଭାପତି ଇଂ. ସୁଦର୍ଶନ ବେହେରା ଧନ୍ୟବାଦ ଦେଇଥିଲେ ।