ବଲାଙ୍ଗିର– ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଭାଲେର ଗାଁରେ ଗତ ୧୦୩ ବର୍ଷ ଧରି ଧନୁଯାତ୍ରା ଅନୁଷ୍ଠିତ ହୋଇଆସୁଛି । ଚଳିତବର୍ଷ ଜାନୁୟାରୀ ମାସ ୨୦ ରୁ ୨୬ ତାରିଖ ପର୍ଯ୍ୟନ୍ତ ୧୦୪ତମ ଧନୁଯାତ୍ରା କରାଯିବାକୁ ନିଷ୍ପତ୍ତି ହୋଇଛି ।
ଗତକାଲି ଭାଲେର ନିକଟସ୍ଥ ଲକ୍ଷ୍ମୀଯୋର କୂଳରେ ଭାଲେର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ଏ ନେଇ ସୂଚନା ଦିଆଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିବା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଚଳିତବର୍ଷ ଧନୁଯାତ୍ରାକୁ କୋସଳୀ ଭାଷାରେ କରାଇବାକୁ ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ ବିଧାୟକ ଶ୍ରୀ ମିଶ୍ର ଆହୁରି କହିଲେ ଯେ, ବରଗଡ ଧନୁଯାତ୍ରା ଠାରୁ ଭାଲେର ଧନୁଯାତ୍ରା ଅଧିକ ପୁରୁଣା । ଏହି ଅଞ୍ଚଳ ଏକ ସଂସ୍କୃତିସମ୍ପନ୍ନ ଅଞ୍ଚଳ। ରାଜ୍ୟ ସରକାର ଏହି ଧନୁଯାତ୍ରାକୁ କୌଣସି ସହାୟତା ଦେଉନାହାଁନ୍ତି । ଚଳିତ ଥର ସରକାରୀ ଅନୁଦାନ ଯୋଗାଇ ଦେବାକୁ ସଂସ୍କୃତି ବିଭାଗକୁ ଅନୁରୋଧ କରାଯିବ ବୋଲି ଶ୍ରୀ ମିଶ୍ର କହିଥିଲେ । ଭାଲେର ଧନୁଯାତ୍ରା କମିଟିର ସଭାପତି ବ୍ରହ୍ମାନନ୍ଦ ନାଏକଙ୍କ ସଭାପତିତ୍ଵ ଓ ଜୟକୃଷ୍ଣ ନାଏକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ବିଳନୀରେ ବିଧାୟକ ନରସିଂହ ମିଶ୍ର, ବଲାଙ୍ଗୀର କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ସ୍ମାରକରଂଜନ ମିଶ୍ର, କମିଟିର ପୂର୍ବତନ ସଭାପତି ଦୀନବନ୍ଧୁ ନାଏକ, ଭାଲେର ସରପଞ୍ଚ ସଂଜୀବ ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ଦିଗାମ୍ବର ନାଏକ, ଅଘରିଆ ସମାଜର ଜିଲ୍ଲା ସଭାପତି ଶୁଭ୍ରାଂଶୁ ପଟେଲ, ରାଜକିଶୋର ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ । ୭ ଦିନ ଧରି ହେବାକୁ ଥିବା ଧନୁଯାତ୍ରାକୁ ଆହୁରି ଆକର୍ଷିତ କରିବାକୁ ପ୍ରସ୍ତାବ କରାଯାଇଥିବା ସଭାପତି ବ୍ରହ୍ମାନନ୍ଦ ନାଏକ କହିଥିଲେ । ପ୍ରତ୍ୟହ କଂସ ଦରବାର ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ । ପୌରାଣିକ କଥାବସ୍ତୁକୁ ନେଇ ହେଉଥିବା ଧନୁଯାତ୍ରାରେ ପୁଇଁତଳା ବ୍ଲକ, ବଲାଙ୍ଗୀର ସହର ତଥା ଅନ୍ୟାନ୍ୟ ଅଞ୍ଚଳର ହଜାର ହଜାର ଦର୍ଶକ ସାମିଲ ହେବେ ବୋଲି କୁହାଯାଇଛି । ତେବେ ପ୍ରତିବର୍ଷ ଧନୁଯାତ୍ରା ପାଇଁ ହେଉଥିବା ଖର୍ଚ୍ଚକୁ କମିଟି ବହୁତ କଷ୍ଟରେ ଯୋଗାଡ କରିଥାଏ । କିଛି ବର୍ଷ ପୂର୍ବରୁ କିଛିମାତ୍ରାରେ ଆର୍ଥିକ ଅନୁଦାନ ମିଳୁଥିଲା । କିନ୍ତୁ ତାହା ମଧ୍ୟ ସରକାର ବନ୍ଦ କରିଦେଇଛନ୍ତି । ତେଣୁ ଚଳିତବର୍ଷ ଅନୁଦାନ ଦେବାକୁ ରାଜ୍ୟ ସରକାରଙ୍କ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କୁ ଅନୁରୋଧ କରାଯାଇଥିବା କମିଟି ସୂଚନା ଦେଇଛି ।