ଭୁବନେଶ୍ୱର– ଓଡିଶା ବିଜ୍ଞାନ ମଣ୍ଡଳ ଆନୁକୂଲ୍ୟରେ ଦୀର୍ଘ ଆଠମାସ ବ୍ୟାପୀ ଚାଲିଥିବା ବିଦ୍ୟାର୍ଥୀ ବିଜ୍ଞାନ ମନ୍ଥନ ୨୦୨୩ର ସମାରୋପ କାର୍ଯ୍ୟକ୍ରମ ଡିସେମ୍ବର ୧୭ ତାରିଖ ଦିନ ୟୁନିଟ-୮ରେ ଅବସ୍ଥିତ ଡିଏଭି ସ୍କୁଲ ଠାରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଏକ ଦିବସ ବ୍ୟାପୀ ବିଜ୍ଞାନ ଶିବିର ଅନୁଷ୍ଠିତ ହେବା ସହିତ ବିଭିନ୍ନ ପୁରସ୍କାର ବିତରଣ ପରେ ଆନୁଷ୍ଠାନିକ ଭାବେ ସମାପ୍ତ ହୋଇଛି ।
ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିବା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସାରା ଓଡିଶାରୁ ପ୍ରାୟ ୧୨୦ ଜଣ ଛାତ୍ରଛାତ୍ରୀ ପଂଜିକରଣ କରିଥିଲେ । ପ୍ରଥମ ପର୍ଯ୍ୟାୟ ଉଦ୍ଘାଟନୀ ସଭା ଓଡିଶାର ବିଜ୍ଞାନ ମଣ୍ଡଳ ସଭାପତି ପ୍ରଫେସର ଚିତରଂଜନ ତ୍ରିପାଠୀଙ୍କ ସଭାପତିତ୍ୱରେ ଆରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବରେ ଡିଏଭି ସ୍କୁଲର ଅଧ୍ୟକ୍ଷା ଡଃ ଇପସିତା ଦାଶ କାର୍ଯ୍ୟକ୍ରମର ଶୁଭାରମ୍ଭ ଘୋଷଣା କରିଥିଲେ । ସମ୍ମାନିତ ଅତିଥି ଭାବରେ ଇନସାର ଡାଇରେକ୍ଟର ଡଃ ବ୍ରିଜେଶ ପାଣ୍ଡେ ଏବଂ ବିଦ୍ୟାର୍ଥୀ ମନ୍ଥନର ସର୍ବ ଭାରତୀୟ ଶିକ୍ଷଣ ପ୍ରମୁଖ ଡଃ ନିରୁ ଭଗତ ସ୍ୱଦେଶୀ ବିଜ୍ଞାନ ଓ ପ୍ରଗତିଶୀଳ ବିଜ୍ଞାନିକ ବିଷୟରେ ନିଜର କଥା ରଖିଥିଲେ ।
ଦ୍ୱିତୀୟ ପର୍ଯ୍ୟାୟରେ ଲିଖିତ ପରୀକ୍ଷା ସହିତ ବିଜ୍ଞାନର ବିଭିନ୍ନ ପ୍ରାକ୍ଟିକାଲ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ସେଥିମଧ୍ୟରୁ ୧୮ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇ ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲେ । ସମାରୋପ କାର୍ଯ୍ୟକ୍ରମ ପ୍ରଫେସର ଚିତରଂଜନ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ସିବିଏସ୍ଇର ଆଂଚଳିକ ମୁଖ୍ୟ ଡଃ କେ ଶ୍ରୀନିବାସନ ଯୋଗଦେଇ ପିଲାମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ପ୍ରଥମ ୬ ଜଣଙ୍କୁ ପାଂଚ ହଜାର ଲେଖାଏଁ ଅର୍ଥ ରାଶି ପ୍ରଦାନ କରିବା ସହିତ ଦ୍ୱିତୀୟ ହୋଇଥିବା ୬ଜଣଙ୍କୁ ୩ ହଜାର ଏବଂ ତୃତୀୟ ହୋଇଥିବା ୬ ଜଣଙ୍କୁ ଦୁଇ ହଜାର ଲେଖାଏଁ ଅର୍ଥରାଶୀ ପ୍ରଦାନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳର ଉପସଭାପତି ଡଃ ଗୌରାଙ୍ଗ କୁମାର ମହାନ୍ତି ଏବଂ ଇଂ ସତ୍ୟାନନ୍ଦ ସାହୁ ତାଙ୍କର ବକ୍ତବ୍ୟ ରଖିଥିଲେ । ସଭାପତିଙ୍କ ଦ୍ୱାରା ଅନୁଷ୍ଠାନର ସଭାପତି ପ୍ରଫେସର ଚିତରଂଜନ ତ୍ରିପାଠୀଙ୍କ ଦ୍ୱାରା ଡଃ ଇପସିତା ଦାଶ, ଡଃ ଶ୍ରୀନିବାସନ, ଡଃ ବ୍ରିଜେଶ ପାଣ୍ଡେ, ଡଃ ନିରୂ ଭଗତ, ଡଃ ରାଜନ କୁମାର ଦାଶ, ଡଃ ଦିବ୍ୟ ଲୋଚନ ପଣ୍ଡା ଓ ଲିଙ୍ଗରାଜ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ମଣ୍ଡଳର ସଂପାଦକ ଡଃ ବିକାଶ କୁମାର ଜେନା ଧନ୍ୟବାଦ ଅର୍ପଣ କରିବା ପରେ କାର୍ଯ୍ୟକ୍ରମର ସମାରୋପ ହୋଇଥିଲା ।