ବଲାଙ୍ଗିର– ରାଜ୍ୟରେ କୃଷି ଓ କୃଷକର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ, ବଲାଙ୍ଗୀର ଜିଲ୍ଲାରେ ଚାଷିମାନେ ଅବହେଳାର ଶୀକାର ହେଉଥିବା ଅଭିଯୋଗ ହେଉଛି । ମୁଖ୍ୟତଃ ସରକାରୀ ପ୍ରୋତ୍ସାହନ ଅଭାବ କାରଣରୁ ବଲାଙ୍ଗୀର ଜିଲ୍ଲାରେ ମକାଚାଷ ପରିମାଣ କମିଚାଲିଛି । ଏକ ପରିସଂଖ୍ୟାନରୁ ଜଣାଯାଇଛି ଯେ, ପ୍ରାୟ ୫ ବର୍ଷ ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ୭ ହଜାର ହେକ୍ଟରରୁ ଅଧିକ ଜମିରେ ଖରିଫରେ ମକାଚାଷ ହେଉଥିଲା । କିନ୍ତୁ, ଏବେ ଏହା ଖସି ଆସି ୩ ହଜାର ହେକ୍ଟରରେ ପହଞ୍ଚିଛି । ଜିଲ୍ଲାରେ ଧାନ ଓ କପା ପରେ ଡାଲିଜାତୀୟ ଚାଷ ଓ ମକାଚାଷ ପ୍ରତି ଲୋକଙ୍କ ଆଗ୍ରହ ରହିଛି । ପ୍ରାୟ ୬ ବର୍ଷ ପୂର୍ବେ ଜିଲ୍ଲାରେ ବହୁତ ପରିମାଣରେ ମକାଚାଷ ହୋଇଥିଲା । କିନ୍ତୁ, ଏହାକୁ ବିକ୍ରୀ ସୁବିଧା ମିଳିଲା ନାହିଁ । ଚାଷି ମାନେ ହତାଶ ହୋଇଗଲେ । ଶାଗ, ମାଛ ଦରରେ କେତେକ କୁକୁଡା ଫାର୍ମ ଏହି ମକାମଞ୍ଜିକୁ କୁକୁଡା ଖାଦ୍ୟ ପାଇଁ କିଣିଲେ । ଚାଷିମାନେ କ୍ଷତି ସହିଲେ । ସେହିପରି ସରକାରଙ୍କ ତରଫରୁ ଚାଷିଙ୍କୁ ଦିଆଯାଉଥିବା ମକାମଞ୍ଜି ଓ ସହାୟତା ରାଶି ବନ୍ଦ କରିଦିଆଯାଇଛି । ଉତ୍ପାଦିତ ମକାର ଅଭାବୀ ବିକ୍ରୀ ଓ ସରକାର ଦେଉଥିବା ମଞ୍ଜି ଓ ସହାୟତା ବନ୍ଦ ହୋଇଯିବା କାରଣରୁ ଜିଲ୍ଲାରେ ମକାଚାଷ କମିଚାଲିଛି । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକରେ ସର୍ବାଧିକ ପରିମାଣରେ ମକାଚାଷ ହୋଇଥାଏ । ଉଭୟ ମିଠା ମକା ଓ ସାଦା ମକା ଉତ୍ପାଦନ ହୋଇଥାଏ । ଦେଓଗାଁ ବ୍ଲକର ଉପରଝର, ଉଡାର ପଞ୍ଚାୟରେ ବିପୁଳ ପରିମାଣରେ ମକାଚାଷ ହୋଇଥାଏ । ସରକାର ପ୍ରୋତ୍ସାହନ ଦେଉନଥିଲେ ହେଁ ଉପରଝର ପଞ୍ଚାୟତର କୁହିମୁଣ୍ଡା ଗାଁରେ ଶମ୍ଭୁଭୁଷଣ ସାହୁଙ୍କ ସମେତ ଗ୍ରାମବାସୀ ପ୍ରାୟ ୩ ଏକର ଜମିରେ ମକାଚାଷ କରି ଲାଭାନ୍ଵିତ ହୋଇଛନ୍ତି । ପୂର୍ବରୁ କୃଷି ବିଭାଗ ତଥା କୃଷିବିଜ୍ଞାନ କେନ୍ଦ୍ର ତରଫରୁ ସରକାରୀ ଯୋଜନାରେ ମକାମଞ୍ଜି ଯୋଗାଇ ଦେବା ସହ ସାର, ଔଷଧ ଖର୍ଚ୍ଚ ମଧ୍ୟ ଯୋଗାଇ ଦେଉଥିଲେ । କିନ୍ତୁ, ଗତ ପ୍ରାୟ ୪ ବର୍ଷ ହେଲା ଆଉ ସରକାରୀ ପ୍ରୋତ୍ସାହନ ମିଳୁନାହିଁ, ତେଣୁ ଚାଷୀମାନେ ବିଶେଷ ଆଗ୍ରହ ପ୍ରକାଶ କରୁନଥିବା କୁହିମୁଣ୍ଡାର ଚାଷି ଶମ୍ଭୁ ସାହୁ କହିଛନ୍ତି । ଏବେ ରବିଋତୁରେ ସ୍ଵିଟକର୍ଣ୍ଣର ଚାହିଦା ରହିବ । କୁହିମୁଣ୍ଡାରେ ଉଠାଜଳସେଚନ ପଏଣ୍ଟ ଜରିଆରେ ଚାଷ କରାଯାଇପାରିବ । ତେଣୁ କୃଷିବିଭାଗ ଚାଷିଙ୍କୁ ମକାଚାଷ ପାଇଁ ପ୍ରୋତ୍ସାହିତ କରିବାକୁ ଚାଷୀମାନେ ଦାବି କରିଛନ୍ତି ।
Related Stories
December 22, 2024