![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଭୁବନେଶ୍ୱର– ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଭୁବନେଶ୍ୱରଠାରେ ଡିସେମ୍ବର ୧୬ ଓ ୧୭ ଦୁଇଦିନ ଧରି ପାର୍ଟିର ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିପୂର୍ବରୁ, ୧୫ ତାରିଖରେ ପାର୍ଟିର ସମ୍ପାଦକମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଥିଲା ।
ସିପିଆଇ ସାଧାରଣ ସମ୍ପାଦକ କମ୍ରେଡ଼ ଡି ରାଜା ବର୍ତମାନର ରାଜନୈତିକ ଓ ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ରିପୋର୍ଟ ଉପସ୍ଥାପନ କରିବା ସହିତ ସଂପ୍ରତି ଅନୁଷ୍ଠିତ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନର ସମୀକ୍ଷା କରିଥିଲେ । ଏହି ନିର୍ବାଚନର ଫଳାଫଳ ସ୍ପଷ୍ଟ ବାର୍ତା ଦେଉଛିଯେ, ବିଜେପି ସରକାରକୁ ପରାସ୍ତ କରିବା ପାଇଁ ସମସ୍ତ ଧର୍ମନିରପେକ୍ଷ, ଗଣତାନ୍ତ୍ରିକ ଓ ଦେଶପ୍ରେମୀ ଶକ୍ତିଙ୍କୁ ଐକ୍ୟବଦ୍ଧ ହୋଇ ଲଢ଼ିବାକୁ ପଡ଼ିବ ।
ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ନିର୍ଦ୍ଧାରଣ ହୋଇଛି ଯେ, ୨୦୨୪ ସଂସଦୀୟ ନିର୍ବାଚନ ପାଖେଇ ଆସୁଥିବାବେଳେ ବିଜେପି ନେତୃତ୍ୱର ଅହଙ୍କାର ଓ ଔଦ୍ଧତ୍ୟ ଏବଂ ସେମାନଙ୍କର ସାମ୍ପ୍ରଦାୟିକ ଧୃବୀକରଣ ଉଦ୍ୟମ ଅଧିକ ବୃଦ୍ଧି ପାଉଛି । ସିପିଆଇ ‘ଇଣ୍ଡିଆ’ ମେଂଟର ଏକ ଅଂଶୀଦାର ଦଳଭାବରେ ବିଜେପିକୁ ପରାଜିତ କରି ଧର୍ମନିରପେକ୍ଷ ଗଣତାନ୍ତ୍ରିକ ଶକ୍ତିମାନଙ୍କର ବିଜୟକୁ ସୁନିଶ୍ଚିତ କରିବା ପାଇଁ ଦେଶର ସମସ୍ତ ବାମପନ୍ଥୀ, ଗଣତାନ୍ତ୍ରିକ ଓ ଧର୍ମନିରପେକ୍ଷ ଦଳମାନଙ୍କ ମଧ୍ୟରେ ଏକତାକୁ ଦୃଢ଼ କରିବା ପାଇଁ ସଂକଳ୍ପବଦ୍ଧ ।
ପାର୍ଟି ପକ୍ଷରୁ ଘୋଷଣା କରାଯାଇଛିଯେ, ଆଗାମୀ ୨୦୨୪ ସଂସଦୀୟ ନିର୍ବାଚନରେ ‘ଇଣ୍ଡିଆ’ ମେଂଟକୁ ଏକ ବିକଳ୍ପ ଶକ୍ତି ଭାବରେ ଶକ୍ତିଶାଳୀ କରି ବିଜେପିକୁ ପରାଜିତ କରିବା ପାଇଁ, ସିପିଆଇ ସମସ୍ତ ଉଦ୍ୟମ କରିିବ । ସଂସଦରେ ଦଳର ପ୍ରତିନିଧିତ୍ୱକୁ ବୃଦ୍ଧି କରିବା ପାଇଁ ସିପିଆଇ ପକ୍ଷରୁ ସମଗ୍ର ଦେଶରେ ଯୁକ୍ତିଯୁକ୍ତ ସଂଖ୍ୟକ ଆସନରେ ପ୍ରାର୍ଥୀ ଠିଆ କରାଯିବ । ଅନ୍ୟପକ୍ଷରେ ଧାରା ୩୭୦ ସମ୍ପର୍କରେ ସୁପ୍ରିମ୍ କୋର୍ଟର ରାୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏହା ଜନସାଧାରଣଙ୍କ ଆଶା-ଆକାଂକ୍ଷା ଏବଂ ସଂଘୀୟ ଢ଼ାଂଚାର ମୌଳିକ ନୀତିକୁ ଉପେକ୍ଷା କରୁଥିବା କେନ୍ଦ୍ର ସରକାରଙ୍କ ସଂଘୀୟ ବିଧି-ବିଧାନ ବିରୋଧୀ ଚରିତ୍ରକୁ ଦୃଢ଼ୀଭୂତ କରୁଛି ।ପାର୍ଟି ପକ୍ଷରୁ କୃଷକ ଏବଂ ଶ୍ରମିକଙ୍କ ସଂଗ୍ରାମ ପ୍ରତି ଦୃଢ଼ ସଂହତି ପ୍ରକାଶ କରାଯାଇଛି ଏବଂ ଆନ୍ଦୋଳନରତ ଅଙ୍ଗନୱାଡ଼ୀ, ଆଶା, ପାଚିକାଙ୍କ ଭଳି କର୍ମଚାରୀମାନଙ୍କ ସମାସ୍ୟାର ସମାଧାନ ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ ସିପିଆଇ ଅହ୍ୱାନ କରୁଛି । ଏହା ସହିତ ଦୀର୍ଘଦିନ ଧରି ଚାଲିଥିବା ଗ୍ରାମୀଣ ଡ଼ାକ ସେବକଙ୍କ ଧର୍ମଘଟ ପ୍ରତି ପାର୍ଟିର ଦୃଢ଼ ସମର୍ଥନ ଘୋଷଣା କରାଯାଇଛି ଏବଂ କେନ୍ଦ୍ର ସରକାର ସେମାନଙ୍କ ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଦାବି ଜଣାଇଛି ।
ସିପିଆଇ ଜାତୀୟ କାର୍ଯ୍ୟକାରିଣୀ ପାର୍ଲ୍ୟାମେଣ୍ଟର ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତୃଟି ସମ୍ପର୍କରେ ଘୋର ଉଦ୍ବେଗ ପ୍ରକାଶ କରିଛି । ପାଲେଷ୍ଟାଇନ୍ ଏବଂ ଇସ୍ରାଇଲ୍ ଲଢ଼େଇ ପ୍ରସଙ୍ଗରେ ଭାରତର ସାମ୍ପ୍ରତିକ ଭୂମିକା ଏହାର ଐତିହାସିକ ଅବସ୍ଥାନର ଅନୁରୂପ ନୁହେଁ, କିନ୍ତୁ ଆନ୍ତର୍ଜାତିକ ସ୍ତରରେ ଇସ୍ରାଇଲ୍ ଏକଘରକିଆ ହୋଇଯାଇଥିବା ଅବସରରେ ଭାରତ ତାହାର ଭୂମିକାର ପରିବର୍ତନ ଲାଗି ଉଦ୍ୟମ କରିବା, ତୁରନ୍ତ ଯୁଦ୍ଧ ବିରାମ ପାଇଁ ଜାତିସଂଘର ପ୍ରସ୍ତାବକୁ କରିଥିବା ସମର୍ଥନରେ ପ୍ରତିଫଳିତ ହୋଇଛି ବୋଲି ପାର୍ଟି ପକ୍ଷରୁ କୁହାଯାଇଛି ।ନେପାଳ, ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ବଙ୍ଗଳାଦେଶ ପ୍ରଭୃତି ପଡ଼ୋଶୀ ଦେଶମାନଙ୍କରେ ଦେଖାଦେଇଥିବା ବର୍ଦ୍ଧିଷ୍ଣୁ ଭାରତ ବିରୋଧୀ ମନୋଭାବ ସାଙ୍ଗକୁ ମ୍ୟାନ୍ମାରରେ ପରିବର୍ତିତ ଅବସ୍ଥା ଫଳରେ ଉତର-ପୂର୍ବାଂଚଳ ପ୍ରତି ମାଡ଼ିଆସିଥିବା ବିପଦ ସମ୍ପର୍କରେ ସିପିଆଇ ଉଦ୍ବେଗ ପ୍ରକାଶ କରିଛି । ଓଡ଼ିଶାର ବିଜୁ ଜନତା ଦଳ ଓ ବିଜେପି ମଧ୍ୟରେ ଏକ ଅଲିଖିତ ବୁଝାମଣା ଥିବା ଭଳି ପ୍ରତୀୟମାନ ହେଉଛି ଏବଂ ଏହାର ଫଳସ୍ୱରୂପ କେନ୍ଦ୍ରରେ ବିଜେପି ସରକାରର ସମସ୍ତ ଜନବିରୋଧୀ ନୀତିକୁ ବିଜେଡ଼ି ସମର୍ଥନ କରିବା ସହିତ ଓଡ଼ିଶାରେ ସାମ୍ପ୍ରଦାୟିକ ଶକ୍ତିର ପ୍ରସାରରେ ସହାୟକ ହେଉଛି । ଓଡ଼ିଶାରେ ଏହି ଶକ୍ତିମାନଙ୍କୁ ପରାସ୍ତ କରିବା ପାଇଁ ସିପିଆଇ ସମସ୍ତ ପ୍ରକାର ଉଦ୍ୟମ କରିବ ।