
ରାଉରକେଲା– ସ୍ମାର୍ଟ ସିଟି ରାଉରକେଲାରେ ଗତ ୮ ଦିନ ଧରି ଝାଡାବାନ୍ତି ଭଳି ରୋଗ ବ୍ୟାପିବା ସହ ଏମାନଙ୍କର ମୃତ୍ୟୁ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି ବୋଲି ରାଉରକେଲା ସରକାରୀ ସୂତ୍ରରୁ ଜଣାପଡିଥିବା ବେଳେ ଏହାର ମୁଖ୍ୟ କାରଣ ପାନୀୟ ଜଳଜନିତ ବୋଲି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ କହୁଥିବା ବେଳେ ପାନପୋଷ ଉପଜିଲ୍ଲାପାଳ କହୁଛନ୍ତି ପାନୀୟ ଜଳ ନୁହେଁ ବାହାରେ ମିଳୁଥିବା ଖାଦ୍ୟଜନିତ ଓ ଅନ୍ୟାନ୍ୟ ସୂତ୍ର କହୁଛି ପାଣି ପାଇପ ଫାଟିଯାଇ ଦୂଷିତ ଜଳ ପାନୀୟ ଜଳରେ ମିଶିଥିବାରୁ ଏଭଳି ସମସ୍ୟା ଦେଖାଯାଇଛି। ଜିଲ୍ଲାପାଳ ଏସବୁ ଗ୍ରହଣ ନକରି କାରଣ ଖୋଜିବା ଲାଗି ଉଦ୍ୟମ ଚାଲିଛି କହିବା ଫଳରେ ପ୍ରକୃତ କାରଣ କଣ ହୋଇଥାଇପାରେ ସେନେଇ ବିଭିନ୍ନ ମହଲରେ ଦ୍ବନ୍ଦ ସୃଷ୍ଟି ହୋଇଛି । ଏହି ଘଟଣା ପଦାକୁ ଆସିବା ପରେ ମୃତ୍ୟୁ ସଂଖ୍ୟା ୫ ଯାଏ ଯାଇଥିବା ବେଳେ ଆଜି ମଧ୍ୟାହ୍ନ ସୁଦ୍ଧା ଏହି ସଂଖ୍ୟା ୯ରେ ପହଁଚିଛି ଓ ୨୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଆକ୍ରାନ୍ତଙ୍କ ସଂଖ୍ୟା ରାଉରକେଲା ସରକାରୀ ଡାକ୍ତରଖାନା ଓ ବେସରକାରୀ ଡାକ୍ତରଖାନାକୁ ମିଶାଇଲେ ଏହା ୫୯୫ରେ ରହିଛି ଓ ଏହି ସଂଖ୍ୟା ମଧ୍ୟ ପ୍ରତି ମୁହୁର୍ତରେ ବଢି ଚାଲିଛି । ତେବେ ଏହି ମହାମାରୀ ଭଳି ସ୍ଥିତିକୁ ନିୟନ୍ତ୍ରଣ କରିବା ଲାଗି ପ୍ରଶାସନ ପକ୍ଷରୁ ସ୍ଵାସ୍ଥ୍ୟ ଟିମ ମାନ ଗଠନ କରାଯାଇ ଅଧିକରୁ ଅଧିକ ପ୍ରଭାବିତ ଅଂଚଳକୁ ପଠାଯାଇ ମେଡିସିନ ଦିଆଜିବା ସହ ସଚେତନ କରାଯାଉଛି । ଯାହା ବାରମ୍ବାର ବର୍ଷ ତମାମ ଲୋକେ ଅଭିଯୋଗ କରିଆସୁଥିଲେ ଯେ, ପାନୀୟ ଜଳ ପାଇପ ଫାଟି ନାଳି ପାଣି ମିଶୁଛି ଏହାର ମରାମତି କରାଯାଉ, କିନ୍ତୁ ୱାଟକୋ ବିଭାଗ ଏଥିପ୍ରତି ଦୃଷ୍ଟି ଦେଉନଥିଲା । ଆଜି ସହରର ଛେଣ୍ଡ, ବାସନ୍ତି କଲୋନୀ, ରେଳଷ୍ଟେସନ ଇଲାକା ସହ ବିଭିନ୍ନ ଅଞ୍ଚଳରେ ଏଭଳି ଯାଗା ଗୁଡିକ ଠାବ କରାଯାଇ ଯୁଦ୍ଧକାଳୀନ ଭିତିରେ ପାଇପ ବଦଳା କାମ ଚାଲିଛି । ଏହି ପାଇପ ଗୁଡିକ ବିଛା ହେବା ଦିନ ଠାରୁ ଆଜିଯାଏ ବଦଳା ଯାଇନଥିଲା । ଏସବୁ ପ୍ରତି ୱାଟକୋ ବିଭାଗ ମଧ୍ୟ ଦୃଷ୍ଟି ଦେଇନଥିଲା । ତେବେ ଏଭଳି ଝାଡା ବାନ୍ତିର କାରଣ ପାନୀୟ ଜଳ ଅଟେ। ପାନୀୟ ଜଳରେ କ୍ଲୋରିନର ପରିମାଣ କମ ରହୁଥିବାରୁ ଏହାର ପରିମାଣ ବଢାଇବାକୁ କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।
ଅନ୍ୟପକ୍ଷରେ ପାନପୋଷ ଉପଜିଲ୍ଲାପାଳ ଏହାକୁ ଖାଦ୍ୟଜନିତ ବୋଲି କହିବା ଓ ଜିଲ୍ଲାପାଳ ଏ ଦୁଇଟିରୁ କିଛି ନୁହେଁ ଓ କାରଣ ଖୋଜା ଚାଲିଛି କହିବା ସାଧାରଣରେ ଦ୍ବନ୍ଦ ସୃଷ୍ଟି କରିଛି । ପ୍ରଶାସନ ଜାଣି ପାରୁନି ସ୍ଥିତି କଣ, ଲୋକଙ୍କ କଥା ବର୍ଷ ତମାମ ଶୁଣାଯାଉନାହିଁ, ସେପଟେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଠଉରଉଛନ୍ତି ବାସ୍ତବ କଥା କଣ । ଏଭଳି ସ୍ଥିତିରେ ୯ ଜଣଙ୍କର ଜୀବନ ମଧ୍ୟ ଚାଲିଗଲା ଅନେକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଲୋକେ ପଇସା ଦେଇ ପାଣି କିଣୁଛନ୍ତି, ତା ପରେ ଯଦି ସ୍ଥିତି ଏଇଆ, ତେବେ ଏଭଳି କ୍ଷତିର ପୁରଣ କରିବ କିଏ ବୋଲି ପ୍ରଶ୍ନ ହେଉଛି । ରାଉରକେଲା ସହରରେ କିଭଳି ଶାସନ ବ୍ୟବସ୍ଥା ଚାଲିଛି ଲୋକେ କେତେ ସେବା ପାଉଛନ୍ତି ତାହା ଏଥିରୁ ନିଶ୍ଚୟ ଅନୁମାନ କରାଯାଇପାରେ । ରାଉରକେଲାରେ ଥିବା ବ୍ରାହ୍ମଣୀ ନଦୀ ପାଣିରେ ଅନେକ ସମୟରେ ଏହିଭଳି ପ୍ରଦୁଷିତ ହୋଇ ମାଛ ମରିବା ସହ ଗାଇ ଗୋରୁ ମଧ୍ୟ ମରନ୍ତି, ଏଥିଲାଗି ଜିଲ୍ଲାର କଳକାରଖାନା, ମହାନଗର ନିଗମ ସମେତ ଅନେକ ଅନୁଷ୍ଠାନର ପ୍ରଦୁଷିତ ପାଣି ମୁଖ୍ୟ କାରଣ ବୋଲି ସରକାର ଜାଣନ୍ତି। ଏନେଇ ବିଧାନସଭାରେ ମଧ୍ୟ ଆଲୋଚନା ସରିଛି। କିନ୍ତୁ ଆଜିଯାଏ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ମଧ୍ୟ ନିରବ । ସ୍ମାର୍ଟସିଟି ହେଲା, ହଜାର ହଜାର କୋଟି ଖର୍ଚ୍ଚ ହେଲା, କିନ୍ତୁ ପାନୀୟ ଜଳର ଅବସ୍ଥା ସହରରେ ଏଇଆ ଓ ସ୍ଥିତି ମଧ୍ୟ ସଙ୍ଗୀନ । କଥାରେ ଅଛି ହେଲେ ହେଲା ନହେଲେ ଚାଲ ରାଉରକେଲା, ଏହି ନୀତିକୁ ଧରି ନିଜ ପରିବାର ସହ ଏଠାରେ ରହିଥିବା ଲୋକେ ଏଭଳି ସ୍ଥିତିରେ ପାନୀୟ ଜଳକୁ ନେଇ ଚିନ୍ତାରେ ପଡିଯାଇଛନ୍ତି ।