ବଲାଙ୍ଗିର– ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଏଜେଣ୍ଟମାନଙ୍କଠାରୁ ରାସ୍ତାରେ ଲୁଟ ହେଉଛି । ଏହାର ସୁଯୋଗ ନେଇ ଖୋଦ ନିଜେ ଏଜେଣ୍ଟମାନେ ଟଙ୍କା ହଡପ କରି ରାସ୍ତାରେ ଲୁଟ ହୋଇଥିବା ଅଭିଯୋଗ କରି ଅର୍ଥ ହଡପ କରୁଥିବା ଅଭିଯୋଗ ହୋଇଛି । ଏଭଳି ଜଣେ ମାଇକ୍ରୋଫାଇନାନ୍ସ ଏଜେଣ୍ଟକୁ ଲୋଇସିଂହା ପୋଲିସ ଗିରଫ କରିଥିବା ଜଣାଯାଇଛି । ସଦର ଏସଡିପିଓ ତୁଫାନ ବାଗ ଓ ଲୋଇସିଂହା ଆଇଆଇସି ଯାଜ୍ଞସେନୀ ନାଏକ ଏହି ସୂଚନା ଦେଇଛନ୍ତି ।
ପୋଲିସ ସୂଚନା ଦେଇଛନ୍ତି ଯେ, ଗତ ନଭେମ୍ବର ୨୨ ତାରିଖରେ ଭାରତ ଫାଇନାନ୍ସ କମ୍ପାନୀରେ କାମ କରୁଥିବା ଜଣେ କଲେକ୍ସନ ଏଜେଣ୍ଟ ବିଜୟ ନାଏକଙ୍କ ଅଭିଯୋଗ କରିଥିଲେ ଯେ,ସେ ଗ୍ରାମାଞ୍ଚଳରୁ ୮୪ ହଜାର ଟଙ୍କା କଲେକ୍ସନ କରି ଫେରୁଥିବା ବେଳେ ରାସ୍ତାରେ କିଛି ଲୋକ ତାଙ୍କୁ ମାଡମାରି ଟଙ୍କା ଲୁଟ କରିଥିଲେ । ଏଜେଣ୍ଟଙ୍କ ଅଭିଯୋଗକୁ ଭିତ୍ତିକରି ଲୋଇସିଂହା ଥାନାରେ ମାମଲା ନମ୍ବର ୫୦୯/୨୦୨୩ ରୁଜୁ କରାଯାଇ ଆଇଆଇସି ନାଏକ ତଦନ୍ତ କରିଥିଲେ । ତେବେ ତଦନ୍ତ ବେଳେ ଜଣପଡିଥିଲା ଯେ,ନିଜେ ଏଜେଣ୍ଟ ତାଙ୍କର ଜଣେ ସାଙ୍ଗଙ୍କ ହାତରେ ଟଙ୍କା ବ୍ୟାଗ ଦେଇ ପରେ ଲୁଟ ହୋଇଥିବା ନାଟକ କରିଥିଲେ । ଏଜେଣ୍ଟକୁ ଧରି ପୋଲିସ ପଚରାଉଚୁରା କଲାପରେ ସେ ସତକୁ ମାନିଥିଲା ଓ ଯେଉଁ ସାଙ୍ଗକୁ ଟଙ୍କା ଦେଇଥିଲା ସେ ବିଷୟରେ କହିଥିଲା । ପୋଲିସ ସେହି ଘଟଣାରେ ଏଜେଣ୍ଟ ବିଜୟ ନାଏକ ଓ ପିତବାସ ମେର୍ଲିଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି । ସେମାନେ ବ୍ୟବହାର କରୁଥିବା ୨ଟି ମୋଟରସାଇକେଲ ଓ ୭୦ ହଜାର ଟଙ୍କା ମଧ୍ୟ ତାଙ୍କଠାରୁ ଜବତ କରାଯାଇଛି । ତେବେ ଭାରତ ଫାଇନାନ୍ସର ଏଜେଣ୍ଟ ଥିବା ବିଜୟ ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ଦୁଇଥର ମାଇକ୍ରୋଫାଇନାନ୍ସ କମ୍ପାନୀର ଅର୍ଥକୁ ହଡପ କରି ପୋଲିସରେ ମିଛ କେସ ଦେଇଥିବା ଜଣାପଡିଛି ।