ବଲାଙ୍ଗିର– ନକଲି ସୁନା ଦେଇ ଲୋକଙ୍କୁ ଠକି ଆସୁଥିବା ଗ୍ୟାଙ୍ଗକୁ ଧରିବାରେ ବଲାଙ୍ଗିର ପୁଲିସ ସଫଳ ହୋଇଛି। ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଚନ୍ଦନଭାଟି ଗାଁର ବୃନ୍ଦାବନ ମେହେର ନାମକ ଜଣେ ବ୍ୟବସାୟୀଙ୍କୁ ୮୦ ହଜାର ଟଙ୍କା ଚୁନା ଲଗାଇ ଫେରାର ମାରିଥିବା ଦୁଇ ଜଣ ଠକଙ୍କୁ ପୋଲିସ ଧରିଛି । ଗତକାଲି ବଲାଙ୍ଗୀର ସଦର ଏସଡିପିଙ୍କ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସୂଚନା ଦେଇ ଏସଡିପିଓ ତୁଫାନ ବାଗ ଏହି ଖବର ଦେଇଛନ୍ତି । ଗିରଫ ଅଭିଯୁକ୍ତ ଦ୍ଵୟ ହେଲେ କାର୍ତ୍ତିକ ମେହେର ଓ ମହାଦେବ ସୁନା ବୋଲି ଜଣାଯାଇଛି । ଏମାନେ ପୂର୍ବରୁ ମଧ୍ୟ ପାଟଣାଗଡ ଥାନା ଓ ଦେଓଗାଁ ଥାନା ଅଞ୍ଚଳରୁ ଏଭଳି ଅଭିନବ ଠକେଇ କରି ଲୋକଙ୍କଠାରୁ ଟଙ୍କା ଠିକିନେଇଥିବା ପୋଲିସ ସୂଚନା ଦେଇଛି ।
ଅଭିଯୋଗରୁ ଜଣାଯାଇଛି ଯେ, ଗତ ଡିସେମ୍ବର ୪ ତାରିଖରେ ସଦରଥାନା ଚନ୍ଦନଭାଟି ଗ୍ରାମକୁ ପହଞ୍ଚି ସୁନାଗହଣା ରଖୁଥିବା ବୃନ୍ଦାବନ ମେହେରଙ୍କୁ ୨ଜଣ ବ୍ୟକ୍ତି ଭେଟିଥିଲେ । ସେମାନେ ତଳିଉଡାର ଗ୍ରାମରୁ ଆସିଥିବା ଓ ଏକ ଜରୁରି କାମ ଯୋଗୁଁ ଟଙ୍କା ଆବଶ୍ୟକ ଥିବା କହି କିଛି ସୁନା ଦେଖାଇଥିଲେ । ବୃନ୍ଦାବନ ସେହି ଦୁଇ ଜଣଙ୍କ ସାଙ୍ଗରେ ଆସି ରୁଗୁଡିପଡାର ପାଟଣେଶ୍ଵରୀ ସୁନାଦୋକାନରେ ଉକ୍ତ ସୁନାକୁ ପରୀକ୍ଷା କରାଇଥିଲେ । ସେତେବେଳେ ସୁନା ଅସଲି ବୋଲି ସୁନାରୀ କହିଥିଲେ । ସେହି ସୁନାକୁ ବନ୍ଧକ ରଖି ୮୦ ହଜାର ଟଙ୍କା ଦେବାକୁ କହିଥିଲେ । ବୃନ୍ଦାବନ ବଲାଙ୍ଗୀର ଆଇଆଇସିଆଇ ବ୍ୟାଙ୍କରୁ ଟଙ୍କା ଉଠାଇ ଥିଲେ । ସେମାନେ ପୁଣି ଚନ୍ଦନଭାଟି ଯାଇ ସେଠାରେ ସୁନାକୁ ବଦଳାଇଦେଇ ନକଲି ସୁନାଦେଇ ୮୦ ହଜାର ଟଙ୍କା ଧରି ପଳାଇଥିଲେ । ପରେ ବ୍ୟବସାୟୀ ବୃନ୍ଦାବନ ମେହେର ପୂର୍ବରୁ ଦେଖାଇଥିବା ସୁନା ଓ ଦେଇଥିବା ସୁନା ମଧ୍ୟରେ ପ୍ରଭେଦ ଦେଖି ସନ୍ଦେହ ହୋଇଥିଲା ଓ ସେ ପୁଣି ଥରେ ସେହି ସୁନାକୁ ପରୀକ୍ଷା କରାଇଥିଲେ । ସେତେବେଳେ ସେ ଠକେଇ ହୋଇଥିବା ଜାଣିବାକୁ ପାଇଥିଲେ ଓ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ବଲାଙ୍ଗୀର ଏସପି ଋଷିକେଶ ଖିଲାରୀଙ୍କ ନିର୍ଦ୍ଦେଶରେ ସଦର ଆଇଆଇସି ରାଜକୁମାର ବିଶ୍ଵାଳ ଏହି ଘଟଣାର ତଦନ୍ତ କରି ଦୁଇ ଠକଙ୍କୁ ଧରିବାରେ ସଫଳ ହୋଇଥିଲେ । ତଦନ୍ତ ବେଳେ ପୂର୍ବରୁ ମଧ୍ୟ ସେମାନେ ଅନେକଗୁଡିଏ ଅଞ୍ଚଳରେ ଏଭଳି ଠକେଇ କରିଥିବା ଜଣାପଡିଥିଲା । ଆଜି ଦୁଇ ଠକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ତାଙ୍କ ଠାରୁ ୮୦ ହଜାର ଟଙ୍କା ମଧ୍ୟ ଜବତ କରାଯାଇଥିବା ପୋଲିସ କହିଛି ।