ବଲାଙ୍ଗିର– ବଲାଙ୍ଗିରର ବରିଷ୍ଠ ସମାଜସେବୀ ଗୌରୀ ଶଙ୍କର ଅଗ୍ରୱାଲଙ୍କ ୮୨ ବର୍ଷ ବୟସରେ ଗତକାଲି ତାଙ୍କର ଏ ବି ଏସ୍ ଏସ୍ ରୋଡ ସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ଗୌରୀ ଶଙ୍କର ବାବୁ ମାରୱାଡି ସମ୍ମେଳନର ସଭାପତି, ବଲାଙ୍ଗିର ରେଳ ଉପଭୋକ୍ତା ସଂଘର ସଭାପତି, ଆଂଚଳିକ ରେଳ ପରାମର୍ଶଦାତା ସଦସ୍ଯ ଭଳି ଅନେକ ସାମାଜିକ ସଂଗଠନରେ ରହିବା ସହିତ ବହୁଦିନ ଧରି ସମାଜ ସେବାରେ ଜଡିତ ଥିଲେ। ପୁରୀ-ଦୁର୍ଗ ଇଣ୍ଟରସିଟି, ବଲାଙ୍ଗିର-ଭୁବନେଶ୍ବର ଇଣ୍ଟରସିଟି ଗାଡ଼ି ଚଳାଇବା ଦିଗରେ ତାଙ୍କର ଅବଦାନ ଥିଲା। ତାଙ୍କର ୩ ପୁତ୍ର ଓ ଗୋଟିଏ ଝିଅ ଅଛନ୍ତି। ବଡ଼ ପୁତ୍ର ରାଜେଶ ପୁନେରେ, ମଧ୍ୟମ ପୁତ୍ର ଅନିଲ ଭୁବନେଶ୍ବରରେ, ସାନ ପୁଅ ଅରୂପ ଆବୁଧାବିରେ ଅଛନ୍ତି। ସେ ଆଜି ଏଠାରେ ପହଞ୍ଚିଲା ପରେ ଆଜି ସନ୍ଧ୍ୟାରେ ବିଭୂତି ପଡା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ। ମୃତ୍ୟୁ ଖବର ପାଇ ତାଙ୍କର ଶେଷ ଦର୍ଶନ ପାଇଁ ତାଙ୍କ ଘରକୁ ବିଭିନ୍ନ ବର୍ଗର ଲୋକେ ଯାଇଥିଲେ।
ବୟସାଧିକ୍ୟ ରୋଗରେ ସେ ଗତ କିଛି ବର୍ଷ ହେଲା ପୀଡିତ ଥିଲେ। ତାଙ୍କର ପତ୍ନୀଙ୍କ ପୂର୍ବରୁ ଦେହାନ୍ତ ହୋଇଯାଇଥିବା ବେଳେ ଜୀବନର ଶେଷ ସମୟ ତାଙ୍କର ସାନ ଭାଇ ନୋଟ୍ଟରୀ କୈଳାସ ଅଗ୍ରୱାଲ ଓ ତାଙ୍କ ପତ୍ନୀ ଓ ଅନ୍ୟ ସଦସ୍ଯଙ୍କ ଦେଖାରେଖାରେ ଥିଲେ।