
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶ୍ରୀମନ୍ଦିରରେ ଶନିବାର ଠାରୁ ପହିଲି ଭୋଗ ନୀତି ଆରମ୍ଭ ହେବ । ସେଥିପାଇଁ ରାତି ୨ଟାରୁ ମନ୍ଦିରର ଦ୍ୱାର ଫିଟାଯାଇ ୨ଟା ୪୫ରେ ମଙ୍ଗଳ ଆଳତୀ ପରେ ମଇଲମ ରୋଷହୋମ ଓ ତଡ଼ପଲାଗି ଆଦି ନୀତି ଅନୁଷ୍ଠିତ ହେବ । ଧନୁ ସଂକ୍ରାନ୍ତିଠାରୁ ଆରମ୍ଭ ହୋଇ ମକର ସଂକ୍ରାନ୍ତି ପୂର୍ବଦିନ ପର୍ଯ୍ୟନ୍ତ ଏକମାସ ପର୍ଯ୍ୟନ୍ତ ପରମ୍ପରା ଅନୁସାରେ ଏହି ନୀତି ବିଧି ରହିଛି ।
ନୀତିନିର୍ଘଣ୍ଟ ଅନୁସାରେ ପୂର୍ବାହ୍ନ ୬ଟା ସୁଦ୍ଧା ଶ୍ରୀଜୀଉଙ୍କୁ ପହିଲି ଭୋଗ ଅର୍ପଣ କରାଯିବ ।
ଲୋକକଥା ଅନୁଯାୟୀ ପୌଷ ମାସରେ ମହାଲକ୍ଷ୍ମୀ ବାପଘରକୁ ଯାଇ ଥିବାରୁ ମା’ ଯଶୋଦା ପୁଅ ଜଗନ୍ନାଥଙ୍କୁ ବଡିଭୋରରୁ ରୋଷେଇ କରି ଖାଇବାକୁ ଦେଇଥା’ନ୍ତି । ପୌଷମାସରେ ଦିନ ସାଢେ ୨ଟାରୁ ସାଢେ ୪ଟା ପର୍ଯ୍ୟନ୍ତ ପହୁଡ଼ କରାଯିବ । ଅପରାହ୍ନରେ ଦ୍ୱାର ଫିଟାଯାଇ ବେଶ, ସଂଧ୍ୟାଧୂପ, ଚନ୍ଦନ ଲାଗି, ବଡ଼ସିଂହାର ଭୋଗ ଓ ଟୋପର ଲାଗି ହୋଇ ରାତି ୧୧ଟା ସୁଦ୍ଧା ପହୁଡ ନୀତି ଅନୁଷ୍ଠିତ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ଥିର ହୋଇଛି ।