ନୂଆଦିଲ୍ଲୀ, ଶନିବାର ଦିନ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଓମାନର ସୁଲତାନ ହୈଥମ ବିନ୍ ତାରିକଙ୍କ ମଧ୍ୟରେ ପ୍ରତିନିଧି ମଣ୍ଡଳସ୍ତରୀୟ ଆଲୋଚନା ହୋଇଛି । ଦୁଇ ନେତା ରାଜନୀତି, ସୁରକ୍ଷା, ପ୍ରତିରକ୍ଷା, ବ୍ୟାପାର, ଆର୍ଥିକ, ସାଂସ୍କୃତିକ ଓ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ସମୀକ୍ଷା କରିଛନ୍ତି । କ୍ଷେତ୍ରୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ମଧ୍ୟ ଉଭୟ ବିଚାର କରିଛନ୍ତି ।
ହାଇଦ୍ରାବାଦ ହାଉସରେ ପ୍ରତିନିଧି ମଣ୍ଡଳ ସ୍ତରୀୟ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ସୁଲତାନ ହୈଥମ ବିନ୍ ତାରିକଙ୍କୁ ଭାରତକୁ ସ୍ୱାଗତ କରିଥିଲେ । ସେ କହିଥିଲେ, ମୋତେ ଭାରତକୁ ଆପଣଙ୍କ ସ୍ୱାଗତ କରି ଖୁସି ଲାଗୁଛି । ଆଜି ଓମାନ ଓ ଭାରତ ସମ୍ପର୍କରେ ଏକ ଐତିହାସିକ ଦିନ ଅଟେ । 26 ବର୍ଷ ପରେ ଓମାନର ସୁଲତାନ ରାଜକୀୟ ଯାତ୍ରାରେ ଭାରତ ଆସିଛନ୍ତି ଏବଂ ମୋତେ ଭାରତର ଲୋକଙ୍କ ପକ୍ଷରୁ ଆପଣଙ୍କ ସ୍ୱାଗତ କରିବାର ସୁଯୋଗ ମିଳିଛି । ମୁଁ ଆପଣଙ୍କ ସ୍ୱାଗତ କରୁଛି ।
ମୋଦି କହିଛନ୍ତି ଯେ, ଅତିଥି ଦେଶ ଭାବେ ଭାରତର ଜି-20 ଅଧ୍ୟକ୍ଷତାର ସଫଳତାରେ ଓମାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ଆଜି ଆମେ ଏକ ନୂଆ ଭାରତ-ଓମାସ ସଂଯୁକ୍ତ ଦୃଷ୍ଟିକୋଣ, ଭବିଷ୍ୟ ପାଇଁ ବୁଝାମଣା ଗ୍ରହଣ କରୁଛୁ । ଏହି ମିଳିତ ଦୃଷ୍ଟିକୋଣରେ ଦଶଟି ଭିନ୍ନ ଭିନ୍ନ କ୍ଷେତ୍ରରେ କାର୍ଯ୍ୟ ଉପରେ ସହମତି ପ୍ରକାଶ ପାଇଛି । ଏହି ମିଳିତ ଦୂରଦୃଷ୍ଟି ଆମର ବୁଝାମଣାକୁ ଏକ ନୂଆ ଓ ଆଧୁନିକ ଆକାର ଦେବ ବୋଲି ପିଏମ ଆଶାବାଦୀ ଅଛନ୍ତି ।