ଭୁବନେଶ୍ୱର – ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ଡ.ମୋହନ ଭାଗବତ ୨ ଦିନିଆ ଓଡିଶା ଗସ୍ତରେ ଆସି ଡିସେମ୍ବର ୧୯ ତାରିଖ ଦିନ ଭୁବନେଶ୍ୱରରେ ପହଁଚିବେ । ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଏକ ଅଖିଳ ଭାରତୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ୨୦ ତାରିଖ ଦିନ ଓଡିଶାରୁ ପ୍ରତ୍ୟାବର୍ତନ କରିବେ ବୋଲି ସଂଘର ଓଡିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ରବିନାରାୟଣ ପଣ୍ଡା ପ୍ରକାଶ କରିଛନ୍ତି ।
ଶ୍ରୀ ପଣ୍ଡା କହିଛନ୍ତି ଯେ, ଭାରତର ଏକାତ୍ମତା ଓ ସ୍ୱାଭିମାନ ଜାଗରଣ ଉଦ୍ଦେଶ୍ୟରେ ଭାରତୀୟ ସାହିତ୍ୟକମାନଙ୍କର ଏକ ଅଖିଳ ଭାରତୀୟ ସମାବେଶ ଆଗାମୀ ୧୯ ରୁ୨୧ ତାରିଖ ତିନି ଦିନ ଧରି ଭୁବନେଶ୍ୱର ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସ ଅର୍ଥାତ ଡିସେମ୍ବର ୨୦ ତାରିଖ ଦିନ ସାରା ଭାରତର ବିଭିନ୍ନ ପ୍ରଦେଶରୁ ଆସିଥିବା ଅତିଥିମାନଙ୍କ ସହିତ ଆମ ରାଜ୍ୟର କବି, ସାହିତ୍ୟକମାନଙ୍କର ଏକ ସାମୂହିକ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ(ସୋଆ) ପ୍ରେକ୍ଷାଳୟରେ ଅନୁଷ୍ଠିତ ହେବ । ଏଠାରେ ପ୍ରାୟ ସ୍ୱୀକୃତ ୧୮ଟି ଭାଷାର ପ୍ରବୁଦ୍ଧ ସାହିତ୍ୟକମାନଙ୍କୁ ସମ୍ମାନିତ କରାଯିବ । ଏହି କାର୍ଯ୍ୟକ୍ରମରେ ଡ.ଭାଗବତ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ।