ବାଲେଶ୍ୱର- ୧୬ ନଂ ଜାତୀୟ ରାଜପଥର ବାମପଦା ଛକରେ ଗତକାଲି ରାତିରେ ଏକ ଟ୍ରକ୍ ଦୁର୍ଘଟଣାରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ମୃତକ ହେଲେ ନୀଳଗିରି ରାଜବରହମପୁର ଅଂଚଳର ମହେନ୍ଦ୍ର ସେଠୀ । ଘଟଣାକୁ ନେଇ ସେଠାରେ ତୀବ୍ର ଉତେଜନା ପ୍ରକାଶ ପାଇଥିଲା । ପ୍ରତିବାଦରେ ଉତ୍ୟକ୍ତ ଲୋକେ ମୃତଦେହ ରଖି ଦୀର୍ଘ ସମୟ ଧରି ରାସ୍ତାରୋକ କରିଥିଲେ ।
ସୂଚନା ଅନୁଯାୟୀ, ମହେନ୍ଦ୍ର ରାତିରେ ଘରକୁ ଫେରୁଥିବା ବେଳେ ବାମପଦା ଛକରେ ଏହି ଦୁର୍ଘଟଣା ଘଟିଥିଲା । ଫଳରେ ଟ୍ରକ୍ ଚକା ତଳେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଯାହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । ଦୀର୍ଘ ଦିନ ଧରି ରାସ୍ତା କାମ ସମ୍ପୂର୍ଣ୍ଣ ନହେବା ଓ ବାମପଦା ଛକରେ ସର୍ବଦା ଟ୍ରାଫିକ୍ ଅବ୍ୟବସ୍ଥା ଲାଗି ରହୁଥିବାରୁ ବାରମ୍ବାର ଦୁର୍ଘଟଣା ଘଟି ଲୋକଙ୍କ ଜୀବନ ଯାଉଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ମୃତଦେହ ରଖି ଟାୟାର୍ ଜାଳି ରାସ୍ତାରୋକ କରିଥିଲେ । ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ପ୍ରଶାସନ ପକ୍ଷରୁ ରେଡ଼କ୍ରସ୍ ପାଣ୍ଠିରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ପ୍ରଦାନ ପରେ ଅବରୋଧ ହଟିଛି । ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ସ୍ୱାଭାବିକ୍ ହୋଇଛି ।