ଭୁବନେଶ୍ୱର– ଆଠ ହଜାର ଟଙ୍କା ଲାଂଚ ନେବା ଅଭିଯୋଗରେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଭୁବନେଶ୍ୱର ସ୍ଥିତ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କ ଅଫିସର ସେକ୍ସନ ଅଫିସର (ଏସ୍ଓ) ଶୁଭକାନ୍ତ ସ୍ୱାଇଁ । କଂଟ୍ରାକ୍ଟର ଲାଇସେନ୍ସ ପ୍ରଦାନ କରିବା ପାଇଁ ଜଣେ ବ୍ୟକ୍ତିଙ୍କୁ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁ ଲାଂଚ ମାଗିଥିଲେ । ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତିଙ୍କ ଭାଇ ଭିଜିଲାନ୍ସକୁ ଖବର ଦେଇଥିଲେ ।
ପୂର୍ବ ଯୋଜନା ଅନୁଯାୟୀ, ଆଜି ଅଭିଯୋଗକାରୀ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁଙ୍କୁ ୮୦୦୦ ଟଙ୍କା ଦେଇଥିଲେ । ଶ୍ରୀ ସ୍ୱାଇଁ ଲାଂଚ ଟଙ୍କା ନେବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଥିଲେ । ଯାଂଚ ବେଳେ ଅଫିସ୍?ରେ ସେକ୍ସନ ଅଫିସର ଶୁଭକାନ୍ତ ସ୍ୱାଇଁଙ୍କ ଠାରୁ ଆଉ ୫୫୦୦ ଟଙ୍କା ମିଳିଥିଲା । ସେହିପରି ତାଙ୍କ ଅଫିସ ଡ୍ରୟରରୁ ୧୪୯୯୦ ଟଙ୍କା ବାହାରିଛି । ଏହା ପରେ ଆୟ ବହିର୍ଭୂତ ସଂପତି ଠୁଳ କରିଥିବା ସନ୍ଦେହରେ ଶୁଭାକନ୍ତ ସ୍ୱାଇଁଙ୍କ ୩ଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି । ଏହି ଘଟଣା ନେଇ ଭୁବନେଶ୍ୱର ଭିଜିଲାନ୍ସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।