ଭୁବନେଶ୍ୱର– ଆୟକର ବିଭାଗର ଚଢାଉ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ବିବୃତି ନେଇ ଟାର୍ଗେଟ୍ କରିଛି ବିଜେଡି । ଜଣେ ଓଡିଆ କେନ୍ଦ୍ରମନ୍ତ୍ରୀଙ୍କ ପ୍ରବଳ ଚାପ ପରେ ସେ ଏଭଳି ପ୍ରତିକ୍ରିୟା ରଖିଥିବା ବିଜେଡି ଅଭିଯୋଗ କରିଛି ।
ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି କହିଛନ୍ତି ବିଜେପି ରାଜ୍ୟ ସଭାପତିଙ୍କ ପାଖରେ ବୋଧହୁଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ କେନ୍ଦ୍ରୀୟ ମନ୍ତ୍ରୀଙ୍କ ତୁଳନାରେ ଅଧିକ ତଥ୍ୟ ରହିଛି । ପ୍ରଧାନମନ୍ତ୍ରୀଙ୍କ ଡିସେମ୍ବର ୮ ଓ ଡିସେମ୍ବର ୧୨ରେ ଦୁଇଟି ଟ୍ୱିଟ୍ ରୁ ସ୍ପଷ୍ଟ ଭାବେ ଜଣାପଡିଥିଲା, ଜବତ ହୋଇଥିବା ଟଙ୍କା କଂଗ୍ରେସର ଜଣେ ରାଜ୍ୟସଭା ସାଂସଦଙ୍କର ଏବଂ ଏଥିପାଇଁ ସେ କଂଗ୍ରେସକୁ ସମାଲୋଚନା ମଧ୍ୟ କରିଥିଲେ ।
ଶଙ୍ଖ ଭବନ ଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଡକ୍ଟର ମହାନ୍ତି କହିଛନ୍ତି ଯେ ଅତୀତରେ ଉତରପ୍ରଦେଶରେ ଜଣେ ବ୍ୟବସାୟୀଙ୍କ ଉପରେ ଚଢାଉରୁ ୫୦୦ କୋଟିର ଟଙ୍କା ଆଉ ସୁନା ମିଳିଥିଲା । ସେହିଭଳି କର୍ଣ୍ଣାଟକରେ ଯେତେବବେଳେ ବିଜେପି ସରକାର ଥିଲା ସେତେବେଳେ ଚଢାଉରୁ ସୁନା ଓ ଟଙ୍କା ମିଶାଇ ପାଖାପାଖି ୩୦୦ କୋଟି ଜବତ ହୋଇଥିଲା । ମହାରାଷ୍ଟ୍ରରେ ନିୟମିତ ଭାବେ ଆୟକର ବିଭାଗ ଚଢାଉ କରୁଛି ଏବଂ ଶହ ଶହ କୋଟିର ନଗଦ ଟଙ୍କା ଆଉ ସୁନା ଜବତ କରୁଛି ସେସବୁ କଣ ଉକ୍ତ ରାଜ୍ୟର ବିଜେପି ନେତାଙ୍କର ସମ୍ପତି ବୋଲି ସେ ପ୍ରଶ୍ନ କରିଛନ୍ତି ।