ବଲାଣି- ରାଜ୍ୟ ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନଗର ନିଗମ ନିମନ୍ତେ ୧୦ଟି, ପୌରପାଳିକା ନିମନ୍ତେ ୪ଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିମନ୍ତେ ୨ଟି ଲେଖାଏଁ ମିନି କଲ୍ୟାଣ ମଣ୍ଡପ ନିର୍ମାଣ କରି ଜନସାଧାରଣଙ୍କ ନିମନ୍ତେ ଲୋକାର୍ପିତ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି କ୍ରମରେ ଯୋଡା ପୌରପାଳିକା ନିମନ୍ତେ ବିଭିନ୍ନ ସ୍ଥାନରେ ୪ଟି କଲ୍ୟାଣ ମଣ୍ଡପର ବୁଧବାର ଦିନ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାୟ ୪କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ୪ଟି କଲ୍ୟାଣ ମଣ୍ଡପ ୱାର୍ଡ ନଂ. ୨, ୩, ୧୧ ଓ ୧୩ରେ ସ୍ଥାପନ କରିବା ପାଇଁ ସ୍ଥାନ ଚିହ୍ନଟ କରାଯାଇ ଆନୁଷ୍ଠାନିକ ଭାବେ ଶୁଭ ଦିଆଯାଇଛି । ତେବେ ୨ନଂ ୱାର୍ଡରେ ଏହି ଶୁଭ ଦେବା ସମୟରେ ୱାର୍ଡ ବାସୀଙ୍କ ପକ୍ଷରୁ ସମ୍ପୃକ୍ତ ୱାର୍ଡର କାଉନସିଲର ସୌଦାମିନୀ ନାଏକଙ୍କ ସହିତ ଅନ୍ୟ ମହିଳାମାନେ ଏହାର ଜୋରଦାର ବିରୋଧ କରିଛନ୍ତି । ସୌଦାମିନୀଙ୍କ ଅଭିଯୋଗ ମୁତାବକ ଜାଗା ଚିହ୍ନଟ ସମୟରେ ତାଙ୍କ ଠାରୁ କୌଣସି ମତାମତ ନିଆଯାଇନଥିବା ବେଳେ ଗ୍ରାମ ମଧ୍ୟରେ ଏହି କଲ୍ୟାଣ ମଣ୍ଡପଟି ପ୍ରତିଷ୍ଠା କରାନଯାଇ ଡିଏଭି ସ୍କୁଲ ପାଖ ଗ୍ରାମର ପୁରୁଣା ଶ୍ମଶାନ ନିକଟ ଏକ ନିକାଞ୍ଚନ ସ୍ଥାନରେ ମନମୁଖି ଭାବେ ପ୍ରତିଷ୍ଠା କରିବାକୁ ଏକପାଖିଆ ନିଷ୍ପତ୍ତି ନିଆଯାଇଛି । ଫଳରେ ଏହା ୱାର୍ଡ ବାସୀଙ୍କ କୌଣସି କାମରେନଲାଗି ଏହି ଅର୍ଥର ଅପବ୍ୟୟ ହେବ ବୋଲି ସେ ଅଭିଯୋଗ କରିଛନ୍ତି । କୌଣସି ସୂତ୍ରରୁ ସେ ଖବର ପାଇ ତାଙ୍କର ସହଯୋଗୀ ମହିଳାମାନଙ୍କୁ ନେଇ ଏହି ଉଦ୍ଘାଟନ ସ୍ଥଳରେ ପହଞ୍ଚି ଏହାକୁ ତୀବ୍ର ବିରୋଧ କରି ଉଦ୍ଘାଟନକୁ ଆସିଥିବା ଅତିଥିମାନଙ୍କୁ ଫେରାଇ ଦେଇଥିଲେ ।
ଏହି ଭୂମିପୂଜନ ସମାରୋହରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତ, ଯୋଡା ପୌରାଧ୍ୟକ୍ଷ ଡା. ଜଗଦୀଶ ପ୍ରସାଦ ସାହୁ, ଉପାଧ୍ୟକ୍ଷ ସନ୍ଧ୍ୟା ପାତ୍ର, ଯୋଡା କାର୍ଯ୍ୟନିର୍ବାହୀ ଅଧିକାରୀ ଅଭିଶେକ ପଣ୍ଡା, ପୌରପାଳିକାର ଅଧିକାଂଶ କାଉନସିଲର, ପୌରପାଳିକାର ମୁଖ୍ୟ ଯନ୍ତ୍ରୀ ଭକ୍ତବନ୍ଧୁ ମହାନ୍ତ, ଜିଲା ବିଜେଡି ସହସମ୍ପାଦକ ବାବୁଲାଲ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।