ବଲାଣି– ଦିନକୁ ଦିନ ଯୋଡା ସହରରେ ଶସ୍ତା ନିଶା ଔଷଧ କାରବାର ନେଇ ବାରମ୍ବାର ଖବର ପ୍ରକାଶ ପାଇ ଆସୁଥିଲା । ଏହି କଫ ସିରାଫ କେବଳ ଔଷଧ ଦୋକାନ ନୁହେଁ, ପାନ ଦୋକାନଠାରୁ ଚା ଦୋକାନ ପର୍ଯ୍ୟନ୍ତ ସବୁଠି ଅବାଧରେ ମିଳୁଥିବା ସୂଚନା ରହିଥିଲା । ଏପରିକି ଫୋନ୍ ମାଧ୍ୟମରେ ମଧ୍ୟ ଘରେ ପହଞ୍ଚାଇଦେବାର ବ୍ୟବସ୍ଥା ରହଛି । ଫଳରେ ଏହି ଶସ୍ତା ନିଶା ଔଷଧ କବଳରେ ଯୋଡାର ଯୁବ ପିଢି ଅଭ୍ୟସ୍ତ ହୋଇ ବିପଥଗାମୀ ହେଉଥିବାର ଅନେକ ନଜିର ରହିଛି । ତେବେ ବୁଧବାର ଦିନ ଅବକାରୀ ବିଭାଗକୁ ଏକ ବଡ ଧରଣର ସଫଳତା ମିଳିପାରିଛି । ଯୋଡା ବସଷ୍ଟାଣ୍ଡ ନିକଟ ଡିପୁ ହଟିଂର ଏକ ଭଡାଘରୁ ବିପୁଳ ପରିମାଣର ୩ଟି ବ୍ରାଣ୍ଡର କଫ୍ ସିରଫ ଜବତ କରାଯାଇ ଏଥିରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସହିତ ଘରର ମାଲିକାଣିଙ୍କୁ ମଧ୍ୟ ଗିରଫ କରାଯାଇପାରିଛି । ଦିର୍ଘଦିନରୁ ଏହି କାରବାର ନେଇ ଅବକାରୀ ବିଭାଗ ପାଖରେ ସୂଚନା ରହିଥିଲା । ଏହାକୁ ଧରିବାପାଇଁ ସାଦା ପୋଷାକରେ ଅବକାରୀ ବିଭାଗର କର୍ମଚାରୀ ମାନେ ନଜର ରଖିଥିଲେ । ତେବେ ବୁଧବାର ସକାଳୁ ଏହି ଘର ଉପରେ ଅଚାନକ ଭାବେ ଚଢଉ କରାଯାଇ ୧୨୩୦ ବୋତଲ (ପ୍ରାୟ୧୨୩ ଲିଟର) କଫ ସିରଫ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ୨ଲକ୍ଷ ୫୦ହଜାର ଟଙ୍କା ହେବବୋଲି ଅବକାରୀ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଏହି ନିଶା ଔଷଧ ପଡୋଶୀ ଝାଡଖଣ୍ଡରୁ ଚମ୍ପୁଆ ଦେଇ ଯୋଡାକୁ ଆସିଥାଏ । ସେଠାରୁ ବିଭିନ୍ନ ସ୍ଥାନକୁ ଏହା ଯୋଗାଇ ଦିଆଯାଇଥାଏ । ଏହି ଚଢଉରେ ଘରର ମାଲିକାଣୀ କୁନି ସ୍ଵାଇଁ ଓ କାରବାର କରୁଥିବା ମୁଖ୍ୟ ମହମ୍ମଦ ଇଷ୍ପାକ୍ ଙ୍କୁ ଗିରଫ କରାଯାଇଛି । ତାଙ୍କ ନାମରେ ଏନ୍ ଡି ପି ଏସ୍ ଧାରା ୨୧(ଖ) ଅନୁଯାଇ ପିଆର ନଂ ୨୦୮/୨୩-୨୪ରେ ମାମଲା ରୁଜୁ କରାଯାଇଛି ।
ଅବକାରୀ ଆୟୋଗ ନରସିଂହ ଭୋଳଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢଉରେ ଅବକାରୀ ବିଭାଗ ସଦର ଇନସପେକ୍ଟର ବେଣୁଧର ସାମଲ, ମୋବାଇଲ ଇନ୍ସପେକ୍ଟର ଚନ୍ଦନ କୁମାର ମଣ୍ଡଲ, ଝୁମ୍ପୁରା ଓଆଇସି ମାନସ ସାମନ୍ତରା, ବଡବିଲର ଜନାର୍ଦ୍ଦନ ପଲେଇ, ଯୋଡାର କୃଷ୍ଣ ସୁନ୍ଦର ସେଠୀ, ଚମ୍ପୁଆର ଗୋକୁଳଧରଙ୍କ ସହିତ ରଞ୍ଜନ୍ କୁମାର ସାହୁ, ଫୁଲମଣୀ ନାଏକ, ସନ୍ଦିପ କୁମାର ଜେନା, ମନୁଗିରି ମାଝି, ଦିଲ୍ଲିପ କୁମାର ତାଣ୍ଡି ପ୍ରମୁଖ ସବ୍ ଇନସପେକ୍ଟରଙ୍କ କେନ୍ଦୁଝର ମୋବାଇଲ ଟିମ ର ଆଲୋକ କୁମାର ସାହୁ, ସୁଶାନ୍ତ ମହାନ୍ତ, ଦିପ୍ତି ବେହେରା, ଗୌତମ ଦାସ, ଅର୍ଜୁନ ହାଁସଦା, ସନ୍ତୋଷ ବେହେରା, ରଶ୍ମିରେଖା ମହାନ୍ତ, ପୁଜା ବେହେରା, ରଞ୍ଜିନ ବିଶୋଇ, ଅନନ୍ତ ରାଜ, ନମିତା ନାଏକ, ସୁରେନ୍ଦ୍ର ମହାନ୍ତ, ରଙ୍ଗାଧର ପାତ୍ରଙ୍କ ସହ ବହୁ ଅଧିକାରୀମାନେ ସାମିଲ ରହିଥିଲେ । ଏହି ନିଶା କାରବାରରେ ଏକ ବଡ ଧରଣର ରାକେଟ କାମ କରୁଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା କେଉଁଠାରୁ ଆସୁଥିଲା ଏବଂ ଏଥିରେ ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି ସ୍ପେଶାଲ ସ୍କ୍ବାର୍ଡର ଇନସପେକ୍ଟର ଚନ୍ଦନ କୁମାର ମଣ୍ଡଳ କହିଛନ୍ତି ।