କନ୍ଧମାଳ– କନ୍ଧମାଳ ଜିଲ୍ଲା ପୋଲିସ ମୁଖ୍ୟାଳୟ ଫୁଲବାଣୀରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ଦୁଇ କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ କେକେବିଏନ ମାଓ ସଂଗଠନର ଏରିଆ କମାଣ୍ଡର ରଞ୍ଜିତ ନେତାମ ଓରଫ ବୁଟଲୁ ତାଙ୍କର ଧରିବା ପାଇଁ ସରକାର ୪ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ଜଣକ ହେଲେ ପାର୍ଟି ମେମ୍ବର ଉଙ୍ଗା ପୋୟାମ। ତାକୁ ଧରିବାକୁ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ଉଭୟ ଛତିଶଗଡ କ୍ୟାଡରର ମାଓବାଦୀ ବୋଲି ରାଜ୍ୟ ପୋଲିସ୍ ଡିଜି ସୂଚନା ଦେଇଛନ୍ତି । ଉଭୟ ୨୦୧୭ ମସିହାରୁ ସିପିଆଇ (ମାଓବାଦୀ) ସଂଗଠନରେ କାର୍ଯ୍ୟ କରୁଥିଲେ ଏବଂ ଛତିଶଗଡ ଓ ଓଡ଼ିଶାରେ ଅନେକ ହିଂସା ଘଟଣାରେ ସାମିଲ ଥିବା ନେଇ ପୋଲିସ ଜାଣିବାକୁ ପାଇଛି ।
୨ ମାଓବାଦୀ ଆତ୍ମସମର୍ପଣ କରିବା ସହ ସମାଜର ମୁଖ୍ୟ ସ୍ରୋତକୁ ଫେରି ସାଧାରଣ ଜୀବନଯାପନ କରିବା ପାଇଁ ସ୍ଥିର କରି ଆତ୍ମ ସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ଥଇଥାନ ଓ ପୁନର୍ବାସ ବ୍ୟବସ୍ଥା ଅନୁଯାୟୀ ସେମାନଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ । ଏହି ଅବସରରେ କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର ନକ୍ସଲ ସମସ୍ୟା ଉପରେ ଉଚ୍ଚ ସ୍ତରୀୟ ସମୀକ୍ଷା କରିଛନ୍ତି ଡିଜି। ବିଏସଏଫ, ସିଆରପିଏଫ ଓ ରାଜ୍ୟ ପୁଲିସର ମିଳିତ ଅଭିଯାନରେ ଏ ଦିଗରେ ଯଥେଷ୍ଟ ସଫଳତା ମିଳିଥିବା ସ୍ଥାନୀୟ ଜିଲ୍ଲା ପୁଲିସ ମୂଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୁଲିସ ମହାନିର୍ଦ୍ଦେଶକ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟ ମାନଙ୍କ ମଧ୍ୟରେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା, ଅତିରିକ୍ତ ମହାନିର୍ଦ୍ଦେଶକ, ଅପରେସନ ଦେବଦତ୍ତ ସିଂ, ବିଏସଏଫ କମାଣ୍ଡାଣ୍ଟ ରବିକାନ୍ତ, ଡିଆଇଜି, ଏସଆଇ ଡବ୍ଲ୍ୟୁ, ଉମାଶଙ୍କର ଦାଶ, କନ୍ଧମାଳ ଏସପି ଶୁଭେନ୍ଦୁ କୁମାର ପାତ୍ର, ବୌଦ୍ଧ ଏସପି, ରାଜ ପ୍ରସାଦ, ବାଲିଗୁଡା ଏସଡିପିଓ ୟସ ପ୍ରତାପ ସିମଲ ପ୍ରମୁଖ ଉପସ୍ଥିତ ଥିଲେ।