ଭୁବନେଶ୍ୱର– ଆଇଟି ରେଡ୍ ବେଳେ ମଦ ବ୍ୟବସାୟୀଙ୍କ ନିକଟରୁ ବିପୁଳ ଟଙ୍କା ଜବତ ଘଟଣାରେ ହାଇକୋର୍ଟଙ୍କ ତତ୍ୱାବଧାନରେ ଏସ୍ଆଇଟି ଟିମ୍ ଦ୍ୱାରା ତଦନ୍ତ କରିବାକୁ ମୋ ଦଳ ଦାବି କରିଛି ।
ମୋ ଦଳର ମହା-ସଚିବ ପ୍ରଦିପ ପ୍ରଧାନ ଓ ପ୍ରଚାର କମିଟି ଅଧ୍ୟକ୍ଷ ଶେଷଦେବ ନନ୍ଦ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡ଼ି ଶାସନରେ ବିଜୁଙ୍କ ସ୍ୱପ୍ନ ସାକାର ଆମର ବଡ଼ ଆଦର୍ଶ ବୋଲି ତାଙ୍କ ଦଳର ନେତାମାନେ ବିଭିନ୍ନ ସଭା ସମିତିରେ ତୁହାକୁ ତୁହା ପ୍ରଚାର ଚଳେଇ ଆସୁଛନ୍ତି । ହେଲେ, ବଲାଙ୍ଗୀରର ସୁଦପଡ଼ା ଦେଶୀ ମଦ ଭାଟିରୁ ୪୦୦ କୋଟିର ବିପୁଳ ଅର୍ଥ ଓ ସେଥିରେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ସଂପୃକ୍ତି ନବୀନଙ୍କ ଶାସନର ଛବିକୁ ପଦାରେ ପକାଇ ଦେଇଛି । ନବୀନଙ୍କ ବାପା ବିଜୁ ପଟ୍ଟନାୟକ ତାଙ୍କ ଶାସନ ସମୟରେ ଦେଶୀ ମଦ ବିକ୍ରି ବନ୍ଦ କରିବା ସହ ସୁମନ ଝୋଡ଼ିଆଙ୍କ ଭଳି ନେତ୍ରୀଙ୍କ ଆନ୍ଦୋଳନ ଓ ନେତୃତ୍ୱକୁ ସ୍ୱୀକୃତି ଦେଇଥିଲେ । ହେଲେ ନବୀନଙ୍କ ଶାସନରେ କିଭଳି ଅବାଧ ସୁରା ସାମ୍ରାଜ୍ୟର ଅବୈଧ ଅର୍ଥ ପାହାଡ଼ ଭଳି ଜମା ହୋଇପାରେ ତାହାର ପ୍ରମାଣ ବଲାଙ୍ଗୀରର ସୁଦପଡ଼ା କଳା ଟଙ୍କା ଧରା ପଡ଼ିବାରୁ ମିଳିଗଲା । ଓଡ଼ିଶାକୁ ନିଶାମୁକ୍ତି ଓ ଦୁର୍ନିତୀ ମୁକ୍ତ ନ କରିବାରେ କଂଗ୍ରେସ ଓ ବିଜେପି ବିଜେଡ଼ିର ଭୂମିକା ପ୍ରାୟତଃ ସମାନ । ବର୍ଷ ବର୍ଷ ଧରି ବିଜେପି ଓ କଂଗ୍ରେସ ନେତୃବୃନ୍ଦ ଏହି ବ୍ୟବସାୟକୁ କାହିଁକି ବିରୋଧ କରୁ ନଥିଲେ, ଏହା ମଧ୍ୟ ପ୍ରଶ୍ନବାଚୀ? ନବୀନଙ୍କ ଶାସନରେ ସୁରା ଓ ସାକିର ସାମ୍ରାଜ୍ୟ ନିର୍ବିଘ୍ନରେ ଚାଲିବାର ପ୍ରମାଣ ବଲାଙ୍ଗୀର ଘଟଣାରୁ ଅଧିକ ସ୍ପଷ୍ଟ ହୋଇଛି । ଅର୍ଚ୍ଚନା ନାଗ ବିଜେଡ଼ିର ଅଧିକାଂଶ ବିଧାୟକଙ୍କୁ ପକେଟରେ ବୁଲିବା ନବୀନ ଶାସନର ଅନ୍ୟତମ ଭ୍ରଷ୍ଟାଚାରର ନଗ୍ନ ଉଦାହରଣ ବୋଲି ମୋ ଦଳ ପକ୍ଷରୁ କୁହାଯାଇଛି ।