ବଲାଙ୍ଗିର– ବଲାଙ୍ଗିର ନାଗରିକ କମିଟିର ମାସିକିଆ ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ମାଲପଡାରେ ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ମାଲପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ବିଶେଷତଃ ମାଲପଡାର ରାସ୍ତା ଗୁଡିକ କଚା, ଆବୁଠାବୁ ହୋଇ ରହିଛି । ଲୋକମାନେ ଏପରିକି ନାନା ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ବଲାଙ୍ଗିର ମ୍ୟୁନିସିପାଲିଟିକୁ ବହୁବାର ଏ ବାବଦରେ ଲେଖି ଦିଆଯାଇଛି, କେବଳ ପ୍ରତିଶୃତି ମ୍ୟୁନସିପାଲିଟିରୁ ମିଳୁଛି, ହେଲେ କାର୍ଯ୍ୟ ହେଉନାହିଁ । ବାରମ୍ବାର ଅନୁରୋଧ ସତ୍ବେ କିଛି ଫଳପ୍ରଦ ହେଉନାହିଁ । ଏହା ବ୍ୟତିତ ନାଳ, ନର୍ଦ୍ଦମା ଗୁଡିକ ନିୟମିତ ସଫା କରାଯାଉନାହିଁ । ଏଣୁ ମଶା ମାଛିର ପ୍ରାର୍ଦୁଭାବ ବଢି ଚାଲିଛି । ମେଲେରିଆ ଆଦି ରୋଗରେ ପିଡିତ ହେଉଛନ୍ତି ଲୋକ। ମ୍ୟୁନସିପାଲିଟି ଏହାର ଉଚିତ ପଦକ୍ଷେପ ନେବା ପାଇଁ ଅନୁରୋଧ । ମାଲପଡା ସ୍କୁଲର ଦୁର୍ଦ୍ଦଶା ନ କହିଲେ ଭଲ । କାରଣ ସ୍କୁଲ ଗୃହ ଭାଙ୍ଗି ଗଲାଣି । ସ୍କୁଲର ଦକ୍ଷିଣ ଓ ପୂର୍ବ ଦିଗ ପାଚେରୀମାନ ଭାଙ୍ଗି ଗଲାଣି । ପଢା କୋଠରୀମାନ ନାହିଁ । ଦୁଇ ଶ୍ରେଣୀ ପିଲା ଗୋଟିଏ କୋଠରୀରେ ବସୁଛନ୍ତି । ଫଳରେ ପାଠପଢାରେ ଅସୁବିଧା ହେଉଛି । ଏଣୁ ଶିକ୍ଷା ବିଭାଗ ଏହାର ଉଚିତ ପଦକ୍ଷେପ ନେବାକୁ ଅନୁରୋଧ । ମାଲପଡାର ବିଶିଷ୍ଟ ପୁରୁଣା କଳାକାରମାନଙ୍କୁ ସମ୍ମାନିତ କରାଯିବାକୁ ପ୍ରସ୍ତାବ ନିଆଯାଇଥିଲା ।
ସଭାରେ ପ୍ରଫେସର ତରୁଣ କୁମାର ମିଶ୍ର, ଗୋପବନ୍ଧୁ ପୁରୋହିତ, ପଂଚାନନ ସେଠ, ଦିବାକର ହୋତା, ଆକୁଳ ବେହେରା, ବସୁଦେବ ନାଗ, ଦେବଜ୍ୟୋତି ଯୋଷୀ ଓ ବହୁ ଅନ୍ୟାନ୍ୟ ସଭ୍ୟ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ଶ୍ରୀ ସେଠ ଧନ୍ୟବାଦ ଅର୍ପଣ କରିଥିଲେ ।