ପୁରୀ– ମାର୍ଗଶୀର ମାସ ଚତୁର୍ଦ୍ଦଶୀ ତିଥିଠାରୁ ଶ୍ରୀମନ୍ଦିରରେ ତିନିଦିନ ବ୍ୟାପି ଦେବଦୀପାବଳି ଉତ୍ସବ ଅନୁଷ୍ଠିତ ହେଉଛି । ସାଧାରଣତଃ ହିନ୍ଦୁମାନେ ଯେପରି କାର୍ତିକ ଅମାବାସ୍ୟା ତିଥି, ଦୀପାବଳି ଦିନ ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରି ଦୀପଦାନ କରିଥାନ୍ତି, ଠିକ୍ ସେହିପରି ମହାପ୍ରଭୁ ଶ୍ରୀଜଗନ୍ନାଥ ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦ ତିଥିରେ ତିନିଦିନ ଧରି ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିବେ । ଏହି ତିନି ଦିନ ଶ୍ରୀଜଗନ୍ନାଥ ଶ୍ରାଦ୍ଧବେଶରେ ଭୂଷିତ ହୋଇ ବାମନ ରୂପରେ ସତ୍ୟଯୁଗର ଅଦିତି ଓ କଶ୍ୟପ, ଶ୍ରୀରାମ ରୂପରେ ତ୍ରେତୟା ଯୁଗର କୌଶଲ୍ୟା ଓ ଦଶରଥ ଓ ଶ୍ରୀକୃଷ୍ଣ ରୂପରେ ଦେବକୀ ଓ ବସୁଦେବ ତଥା ଗୁଣ୍ଡିଚା ଓ ଇନ୍ଦ୍ରଦ୍ୟୁମ୍ନଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିବେ ।
ଶ୍ରାଦ୍ଧ ସମୟରେ ଶ୍ରୀଜଗନ୍ନାଥ କାଶୀଧଡ଼ିଆ ବସ୍ତ୍ର ପିନ୍ଧିବେ । ଏହାର ରଙ୍ଗ ଶ୍ଵେତବର୍ଣ୍ଣ ଓ ଧଡ଼ିରେ ବଡ଼ ବଡ଼ କୁମ୍ଭମାନ ପଡ଼ିଥାଏ । ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତାକର୍ଷକ ଶ୍ରାଦ୍ଧବେଶରେ ସଜ୍ଜିତ କରିବେ । ଏହି ଅବସରରେ ଠାକୁରମାନେ ନଳିଭୂଜ, କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡ଼କାନି, ତଡ଼ଗି, ହରିଡ଼ାଶାଳି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ । ମାର୍ଗଶିର ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀରେ ସନ୍ଧ୍ୟାଧୂପ ନୀତି ବଢ଼ି ଧୋପଖାଳ ହେବାପରେ ରତ୍ନସିଂହାସନ ତଳେ ଭଣ୍ଡାରମେକାପ ଚାଉଳରେ ଗୋଟିଏ ଗଛ ନିର୍ମାଣ କରିବେ । ପାଳିଆ ମେକାପ ବଇଠାମାନଙ୍କରେ ଘୃତ ପୂର୍ଣ୍ଣକରି ଚାଉଳ ଗଛରେ ବତୀ ବସାଇବେ । ସମୁଦାୟ ଅଠେଇଶଟି ବତୀ ବସାଯିବ, ତନ୍ମଧ୍ୟରୁ ଶ୍ରୀଜଗନ୍ନାଥଙ୍କ ନିମନ୍ତେ ଦଶଗୋଟି, ଶ୍ରୀବଳଭଦ୍ରଙ୍କ ନିମନ୍ତେ ନଅଟି ଓ ଦେବୀ ସୁଭଦ୍ରାଙ୍କ ନିମନ୍ତେ ନଅଟି ଦୀପ ବସାଯିବ । ତିନିଗୋଟି ସୁନାଆଳତି ଲଗାଇବା ପରେ ପୂଜାପଣ୍ଡା ସେବକ ଚାଉଳଗଛ ଓ ଦୀପମାନଙ୍କୁ ସଂସ୍କାର କରିବେ । ଏହାପରେ ପୂଜାପଣ୍ଡା, ପତି ମହାପାତ୍ର ଓ ମୁଦିରସ୍ତ ସେବକମାନେ ସିଂହାସନ ଉପରକୁ ଉଠି ତିନିବାଡ଼ରେ ବନ୍ଦାପନା କରିବା ପରେ ତିନୋଟି ମହାଦୀପରେ ବନ୍ଦାପନା କରାଯିବ । ତତ୍ପରେ ପୂଜକ ତିନି ଜଣ ମହାଦୀପ ଗୁଡ଼ିକୁ ହାତରେ ଧରି ଜୟବିଜୟ ଦ୍ଵାରର ଭିତର ପାଖକୁ ଆସିବେ, ସେଠାରେ ଆସ୍ଥାନ ପଢ଼ିଆରୀ କରିଥିବା ଚାଉଳ ଗଛକୁ ଜଣେ ପୂଜାପଣ୍ଡା ସଂସ୍କାର କରି ପାଣି ଛଡ଼ାଇବେ । ସେହି ମହାଦୀପ କଳସଗୁଡ଼ିକୁ ପାଳିଆ ଚୁନରାଙ୍କୁ ଦିଆଯିବ । ଚୂନରା ସେବକ ବଡ଼ଓଡ଼ିଆ ମଠ ପ୍ରଦତ ତେଲ ଓ ଘିଅ ନେଇ ଶ୍ରୀମନ୍ଦିରର ଅଁଳାବେଢ଼ା ଉପରେ ଦୀପମାନ ଜଳାଇବେ ଓ ଚନ୍ଦ୍ରଉଦିଆ ଜାଳି ‘ଗଜପତି ମହାରାଜଙ୍କୁ ମହାପ୍ରଭୁ ଶଙ୍ଖେପୁରାଇ ଚକ୍ରେ ଆଢୁଆଳ କରନ୍ତୁ’ କହି ହରିବୋଲ ଡାକ ଦେବେ ।
ସେହିପରି ପିତୃଶ୍ରାଦ୍ଧର ଦ୍ବିତୀୟ ଦିବସରେ ଭକ୍ତମାନେ ପ୍ରଭୁଙ୍କ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଗଣଦୀପଦାନ କରିବେ । ପିତୃଶ୍ରାଦ୍ଧର ତୃତୀୟ ଦିବସରେ ପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ଜଗନ୍ନାଥ ବଲ୍ଲଭ ମଠକୁ ବିଜେ କରିବେ । ସେଠାରେ ବନ୍ଦାପନା ଭଳି କେତେକ ନୀତି ସମ୍ପାଦନ ହେବାପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତନ କରିବେ । ମହାପ୍ରଭୁଙ୍କର ଏହି ଶ୍ରାଦ୍ଧବେଶ ଦେଖିବା ଲାଗି ଶ୍ରୀମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।