ରାଉରକେଲା– ରାଜ୍ୟ ସରକାର ନିକଟରେ ଆଦିବାସୀ ଜମି କିଣା ବିକାକୁ ନେଇ କ୍ୟାବିନେଟରେ ନିୟମ ଆଣିବାକୁ ଉଦ୍ୟମ କରି ବିଧାନସଭା ଅଧିବେସନ ସମୟରେ ଏହାକୁ ତର୍ଜମା ଲାଗି ପଠାଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରେ ଆଦିବାସୀ ମାନଙ୍କ ପକ୍ଷରୁ ଏଭଳି ଆଇନ ଅଣାଯିବାକୁ ଘୋର ବିରୋଧ କରିବା ସହ ଏନେଇ ଜିଲ୍ଲାର ସାଂସଦ ଓ ୪ ବିଧାୟକଙ୍କ ନିରବତା ଲାଗି ସେମାନଙ୍କୁ ଆଦିବାସୀ ବିରୋଧୀ ବୋଲି କୁହାଯାଇଛି ଓ ଏନେଇ ସେମାନେ ଆଗାମୀ ଦିନରେ ଏହାର ଫଳ ଭୋଗିବେ ବୋଲି କୁହାଯାଇଛି । ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀଙ୍କୁ କିଣା ବିକା ନେଇ କ୍ୟାବିନେଟରେ ଆସିଥିବା ପ୍ରସ୍ତାବକୁ ବିରୋଧ କରି ରାଉରକେଲାରେ ଝାଡଖଣ୍ଡ ମୁକ୍ତିମୋର୍ଚ୍ଚାର ଲେଥା ତିର୍କୀ, ସୁନ୍ଦରଗଡ ଜିଲ୍ଲା ମୁଳ ଆଦିବାସୀ ବଂଚାଓ ମଂଚ ର ବାଗି ଲାକ୍ରା ଓ ଜିଲ୍ଲା ସରପଚଂ ସଂଘ ର ଉପସଭାପତି ଅଜିତ ତିର୍କୀ ପ୍ରମୁଖଙ୍କ ପକ୍ଷରୁ ଏନେଇ ଏକ ଦାବି ପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲାର ହଜାର ହଜାର ଆଦିବାସୀ ଏକତ୍ରିତ ହୋଇ ରାଉରକେଲା ଏଡିଏମ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ସେମାନେ କହିଛନ୍ତି ଯେ, ସମ୍ବିଧାନର୧୯(୫) ଅନୁଯାୟୀ ଏଠାକାର ଆଦିବାସୀ ହିଁ ମୂଳ ଆଦିବାସୀ ଅଟନ୍ତି, ଅନୁସୁଚିତ ଜିଲ୍ଲାରେ କୌଣସି ଅଣଆଦିବାସୀ ଏମାନଙ୍କ ଜମିକୁ କିଣା ବିକା କରିପାରିବେ ନାହିଁ । ସମତା ଜଜମେଂଟ ଅନୁଶାରେ ଅନୁସୁଚିତ ଜିଲ୍ଲାରେ କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କର ଗୋଟିଏ ଇଂଚ ବି ଜମି ନେଇପାରିବେ ନାହିଁ । ଏ ସମସ୍ତ ନିୟମ ଥିବା ସତ୍ବେ ରାଜ୍ୟ ସରକାର ଆଦିବାସୀଙ୍କ ଜମିକୁ କିଣା ବିକା କରିବା ଲାଗି ନିୟମ ଆଣିବାକୁ ଉଦ୍ୟମ କରିବା ସଂପୁର୍ଣ ଆଦିବାସୀ ବିରୋଧୀ, ଏହା ହେଲେ ଆଦିବାସୀ ମାନେ କେବେ ହେଲେ କ୍ଷମା କରିବେ ନାହିଁ, ଆନ୍ଦୋଳନ ତିବ୍ର ଆକାର ଧାରଣ କରିବ । ସେହିଭଳି ଏ ସମସ୍ତ ନିୟମକୁ ଜାଣିଥିବା ଜିଲ୍ଲାର ସାଂସଦ ଜୁଏଲ ଓରାମ, ବିଧାୟକ ସାରଦା ନାୟକ, ସୁବ୍ରତ ତରାଇ, ଲକ୍ଷ୍ମଣ ମୁଣ୍ଡା, ଡାକ୍ତର ରାଜନ ଏକ୍କା ପ୍ରମୁଖ ନିରବ ରହିବା ମୁହଁ ନଖୋଲିବା ସେମାନଙ୍କର ଆଦିବାସୀ ବିରୋଧୀ ମନୋଭାବର ପରିଚୟ ଦେଉଛି ବୋଲି ଆନ୍ଦୋଳନକାରୀ ମାନେ ଅଭିଯୋଗ କରିଛନ୍ତି ।ରାଜ୍ୟ ସରକାର ଏନେଇ କ୍ୟାବିନେଟରେ ଆଇନ ଆଣିବାକୁ ଉଦ୍ୟମ କରିବା ପରେ ଏହାକୁ ତର୍ଜମା ଲାଗି ପଠାଇବା ସଂପୁର୍ଣ ଆଦିବାସୀ ବିରୋଧୀ, ତେଣୁ ଯଥା ଶିଘ୍ର ଏହାକୁ ପ୍ରତ୍ୟାହାର କରିବା ଲାଗି ଆଦିବାସୀ ମାନଙ୍କ ପକ୍ଷରୁ ଦାବି ଜଣାଇ ଭାରତର ରାଷ୍ଟ୍ରପତିଙ୍କ ନିକଟକୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।