ଭୁବନେଶ୍ୱର– ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ୧୩୬ତମ ଜୟନ୍ତୀ ଶନିବାର ପ୍ରତ୍ୟୁଷରେ ଭୁବନେଶ୍ୱର ପିଏମ୍ଜି ଛକସ୍ଥିତ ତାଙ୍କ ପ୍ରତିମୂର୍ତି ସ୍ଥଳୀରେ ଅନୁଷ୍ଠିତ ହୋଇ ମାଲ୍ୟାର୍ପଣ ସହ ଦୀପଦାନ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଗାୟକ ଆହ୍ଲାଦ ସୁରେନ୍ଦ୍ର ନାଥ ଛୋଟରାୟ ବନ୍ଦନା ଗାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡକ୍ଟର ମିହିର ପଟ୍ଟନାୟକ, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, କାନ୍ତକବିଙ୍କ ପୌତ୍ର ବରିଷ୍ଠ ସାମ୍ବାଦିକ ଗୁରୁ କଲ୍ୟାଣ ମହାପାତ୍ର, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ପ୍ରଫେସର ଡଃ ରଙ୍ଗାଧର ସାହୁ, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ର ନାରାୟଣ ସାମନ୍ତରାୟ, ସମାଜସେବୀ ଗିରିଜା ଶଙ୍କର ମହାପାତ୍ର, ସ୍ୱାଧୀନତା ସଂଗ୍ରାମୀ ଦାୟାଦ ବିଜୟ କୁମାର ତ୍ରିପାଠୀ, ଉଇ ଫର ଭୁବନେଶ୍ୱର ପକ୍ଷରୁ ନରେନ୍ ସାହୁ, କବି ଲକ୍ଷ୍ମୀଧର ଦାସ, ଅଶ୍ୱିନୀ ପଟ୍ଟନାୟକ, ଅନୁପମା ବେହେରା, ଶାନ୍ତିଲତା ସାହୁ, ମନୋରଂଜନ ମହାନ୍ତି, ସମାଜସେବୀ ସଂଜୟ ପରିଡ଼ା, ପ୍ରଗତି ରଥ, ନଗେନ୍ ନାୟକ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନିଜ ବକ୍ତବ୍ୟରେ କାନ୍ତକବିଙ୍କ ବହୁମୁଖୀ ପ୍ରତିଭାର ସ୍ମୃତିଚାରଣ କରିଥିଲେ । ଭଦ୍ରକର ତାଳପଦା ଗ୍ରାମରେ ଜନ୍ମିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ବହୁ ଗଳ୍ପ, କବିତା ଓ ଉପନ୍ୟାସ ରଚନା କରି ଓଡ଼ିଶାର ବାଣୀ ଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ସେ ଜଣେ ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଥିଲେ । ତାଙ୍କ ରଚିତ ‘ବନ୍ଦେ ଉତ୍କଳ ଜନନୀ’ ସଂଗୀତ ଓଡ଼ିଶାର ରାଜ୍ୟ ସଂଗୀତ ମାନ୍ୟତା ପାଇଛି । କାନ୍ତକବିଙ୍କ କାଳଜୟୀ ଉପନ୍ୟାସ ‘କଣାମାମୁ’, ‘କେଉଁ ଯଶବାନା ଉଡାଇବ ହେ’ ଭକ୍ତିସଂଗୀତ ‘ବୁଢା ଶଙ୍ଖାରୀ’ ଗଳ୍ପ ଆଜି ମଧ୍ୟ ପ୍ରତ୍ୟେକ ଓଡ଼ିଆ ପ୍ରାଣରେ ସ୍ପନ୍ଦନ ସୃଷ୍ଟି କରିଛି ବୋଲି ମତ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ପ୍ରତ୍ୟେକ ଓଡ଼ିଆ ଓଡ଼ିଆରେ ଲେଖିବା ଓ ଓଡ଼ିଆରେ କହିବା ସହ ସମସ୍ତେ ଓଡ଼ିଆ ପୁସ୍ତକ ପଠନ କରି ଓଡ଼ିଆ ଭାଷାକୁ ସମୃଦ୍ଧ କଲେ ତାହା ହେବ କାନ୍ତକବିଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଯୁବ ସମାଜସେବୀ ସିଦ୍ଧାର୍ଥ ସାହୁଙ୍କୁ ସଂସ୍କୃତି ସେବକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହି ସମ୍ମାନ ଗ୍ରହଣ କରି ଶ୍ରୀ ସାହୁ ଆଗାମୀ ଦିନରେ ପ୍ରତ୍ୟେକ ସପ୍ତାହରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସହିତ ପିଏମ୍ଜି ଛକରେ ଥିବା ବରପୁତ୍ରଙ୍କ ସହିତ ସଂଗ୍ରାମୀ ପ୍ରାଣନାଥ ପଟ୍ଟନାୟକଙ୍କ ପ୍ରତିମୂର୍ତି ନିରନ୍ତର ସଫେଇ କରିବେ ବୋଲି ସଂକଳ୍ପ ନେଇଥିଲେ ।
Related Stories
November 23, 2024