ଭୁବନେଶ୍ୱର– ରାଜ୍ୟରେ ନବୀନ ପଟ୍ଟନାୟକ ଶାସନରେ ଚାଲିଥିବା ଅଣଓଡ଼ିଆ ଅଫିସରଙ୍କ ଦୌରାତ୍ମ୍ୟ ସହିତ ଅଣଓଡ଼ିଆ ଠିକାଦାରଙ୍କ ହରିଲୁଟ୍ ବିରୋଧରେ ମହାସଂଗ୍ରାମ ପାଇଁ “ମୋ ଦଳ” ତରଫରୁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦିଆଯାଇଛି । ଦଳ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର କହିଛନ୍ତି ଯେ,ସୂଚନା ଅଧିକାର ଆଇନ୍ ବଳରେ ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୭ ବର୍ଷ (୨୦୧୫ରୁ ୨୦୨୨) ମଧ୍ୟରେ ରାଜ୍ୟରେ ପ୍ରାୟ ସମସ୍ତ ବଡ଼ ବଡ଼ ବିକାଶ ମୂଳକ କାର୍ଯ୍ୟ ଯଥା- ରାସ୍ତା, କୋଠାବାଡ଼ି, ସରକାରୀ କାର୍ଯ୍ୟାଳୟ, ହସ୍ପିଟାଲ, ଖେଳ ପଡ଼ିଆ, ଭିତି ଭୂମି ନିର୍ମାଣ, ବିଦ୍ୟୁତିକରଣ, ପାନୀୟ ଜଳ ଯୋଗାଣ, ବ୍ରିଜ୍ ନିର୍ମାଣ, ସରକାରୀ ଯୋଜନା ପରିଚାଳନା ଇତ୍ୟାଦି ଅଣଓଡ଼ିଆ ଠିକାଦାରୀ ସଂସ୍ଥାକୁ ଦିଆଯାଇଛି । ରାଜ୍ୟରେ ପ୍ରାୟ ୧ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ସେମାନଙ୍କୁ ଦିଆଯାଇଛି । ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶର ଅଧିକ ଠିକାଦାରୀ ସଂସ୍ଥା ସବୁ ଠାରୁ ଅଧିକ ବେଶୀ କାମ ନେଇଛନ୍ତି । ଅନେକ ପ୍ରକଳ୍ପ କାର୍ଯ୍ୟରେ ଓଡ଼ିଆ ଠିକାଦାରମାନେ ଅଣଓଡ଼ିଆ ଠିକାଦାରଙ୍କ ପେଟି କଂଟ୍ରାକ୍ଟର ହୋଇ କାମ କରୁଛନ୍ତି ।
ଗତ ୮ ବର୍ଷ ମଧ୍ୟରେ ରାଜ୍ୟରେ ଅଣଓଡ଼ିଆ ଠିକାଦାରମାନଙ୍କ ଦ୍ୱାରା ହାରାହାରି ୩୦ ହଜାର କୋଟି ଲୁଟ୍ ହୋଇଛି ଏବଂ ପିସି କାରବାର ୨୫ ପ୍ରତିଶତରୁ କମ୍ ନୁହେଁ । ଓଡ଼ିଶା ଇତିହାସରେ ଏହା ଏକ ମହାଲୁଟ୍ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାର ଶାସନ, ଓଡ଼ିଶାର ବିକାଶ ମୂଳକ ପ୍ରକଳ୍ପ, ଓଡ଼ିଶାର ସଂପଦ ସବୁ ଅଣ ଓଡ଼ିଆଙ୍କ ଅଧିନକୁ ଚାଲିଯାଇଛି ।
ରାଜ୍ୟରେ ୫ଟି ନାମରେ ଯାହା ସବୁ ପ୍ରକଳ୍ପ ଯଥା, ମୋ ସାଇକଲ, ମୋ ବସ୍, ମୋ ସରକାର, ସବୁ ଅଣଓଡ଼ିଆଙ୍କ ଦଖଲରେ । ଏହି ସବୁ ପ୍ରକଳ୍ପର ଡି. ପି. ଆର୍ ପ୍ରସ୍ତୁତି, ଯୋଜନା ପ୍ରଣୟନ ଓ କାର୍ଯ୍ୟକାରିତା ଓ ଯୋଜନା ପରିଚାଳନା ସବୁ ଅଣଓଡ଼ିଆ ସଂସ୍ଥାଙ୍କ ଅଧିନରେ । ଓଡ଼ିଶାର ସ୍ୱାଭିମାନ ରକ୍ଷା ପାଇଁ ମହାସଂଗ୍ରାମ ଆରମ୍ଭ କରିବାକୁ “ମୋ ଦଳ” ତରଫରୁ ଆହ୍ୱାନ ଦିଆଯାଇଛି । ଅଣଓଡ଼ିଆ ଶାସନ ଓ ଅଣଓଡ଼ିଆ ଠିକାଦାର ନହଟିଲେ ଓଡ଼ିଶାର ବିକାଶ ହେବ ନାହିଁ କି ଦାରିଦ୍ର୍ୟ ହଟିବ ନାହିଁ । ତେଣୁ ନବୀନ ପାଣ୍ଡିଆନ ଭଷ୍ଟ୍ରାଚାର ଶାସନ ବିରୁଦ୍ଧରେ ଲଢ଼େଇ ପାଇଁ ଆମ୍ଭେ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଉଛୁ । ୨୦୨୪ରେ ନବୀନ ସରକାରଙ୍କୁ ଓଡ଼ିଆ ମାଟିରେ କବର ଦେବା ଦେବାର ସମୟ ଆସି ଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ଦଳର ମହାସଚିବ ପ୍ରଦୀପ ପ୍ରଧାନ, ପ୍ରଚାର କମିଟି ଅଧ୍ୟକ୍ଷ ଶେଷଦେବ ନନ୍ଦ, ଦଳର ସାଧାରଣ ସଂପାଦକ ଉମାକାନ୍ତ ଭାରତ, ଯୁବଛାତ୍ର ସଂଗଠନର ସଭାପତି ମନୱାର ଅଲ୍ଲୀ ପ୍ରମୁଖ ଉପସ୍ଥିତ ଥିଲେ ।