ଗଞ୍ଜାମ– ବ୍ରହ୍ମପୁର ସହରରେ ସାଇବର ଅପରାଧ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରୁଥିବା ଅଭିଯୋଗ ହେଉଛି । ବିଗତ ଦିନରେ ଚାକିରୀ ଲୋଭ ଦେଖାଇ ସାଇବର୍ ଅପରାଧୀ ମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ବେଳେ ଏବେ ପୁଣି ଜଣେ ମହିଳା ଏହି ଠକେଇର ଶିକାର ହୋଇଥିବା ବ୍ରହ୍ମପୁର ସାଇବର୍ ଥାନାରେ ଅଭିଯୋଗ ହୋଇଛି ।
ବ୍ରହ୍ମପୁର ସହରରେ ରହୁଥିବା ସମ୍ପୃକ୍ତ ମହିଳାଙ୍କୁ ଗତ କିଛି ଦିନ ପୂର୍ବେ ଟେଲିଗ୍ରାମ୍ ରେ ଜଏନ୍ କରିବାକୁ ଅନୁରୋଧ ଆସିଥିଲା । ସେ ଏଥିରେ ଜଏନ୍ କରିବା ପରେ ଘରେ ବସି ପାର୍ଟ ଟାଇମ୍ ଓ ଫୁଲ୍ ଟାଇମ୍ ଚାକିରୀର ସୁଯୋଗ ନେବା ପାଇଁ ମୋବାଇଲକୁ ମେସେଜ୍ ଆସିଥିଲା । ଏଥିରେ ଅଧିକ ଦରମା ପାଇବାର ସୁଯୋଗ ଥିବା ମଧ୍ୟ କୁହାଯାଇଥିଲା । ମହିଳା ଜଣକ ଏଥିରେ ସାମିଲ୍ ହେବା ପରେ ପ୍ରଥମେ କିଛି ଟଙ୍କା ଦେବାକୁ କୁହାଯାଇଥିଲା । ପରବର୍ତୀ ସମୟରେ ସେ ତାଙ୍କ ଟଙ୍କା ମୋଟା ଅଙ୍କରେ ଫେରିପାଇବେ ବୋଲି କୁହାଯିବା ପରେ ମହିଳା ଜଣକ ଲୋଭର ବଶବର୍ତୀ ହୋଇ ପର୍ଯ୍ୟାୟ କ୍ରମେ ପ୍ରାୟ ୧୧ ଲକ୍ଷ ୫୯ ହଜାର ଟଙ୍କା ଦେଇଥିଲେ । ପରବର୍ତୀ ସମୟରେ ଟଙ୍କା ଫେରିନପାଇ ସାଇବର୍ ଠକେଇର ଶିକାର ହୋଇଥିବା ଜାଣି ବ୍ରହ୍ମପୁର ସାଇବର୍ ଥାନାରେ ଅଭିଯୋଗ କରିଥିଲେ । ଏନେଇ ସାଇବର୍ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।