ଭୁବନେଶ୍ୱର – ମଦ ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍ ଘଟଣାରେ ବିଜେଡ଼ି ନେତା ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତି ନେଇ ସାଂଘାତିକ ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ଏଥିରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଦୀପ ଅମାତ, ଟୁକୁନି ସାହୁ ଏବଂ ବିଜେଡ଼ି ନେତା ଯୋଗେଶ ସିଂଙ୍କ ଭଳି ନେତା ସଂପୃକ୍ତ ଅଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜ୍ୟ ବିଜେପି ଉପସଭାନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି କଂଗ୍ରେସର ଝାଡ଼ଖଣ୍ଡ ସାଂସଦ ହେଉଛନ୍ତି ମାଲିକ , କିନ୍ତୁ ବିଜେଡ଼ି ହେଉଛି ମ୍ୟାନେଜର । ଭିଜିଲାନ୍ସ, କ୍ରାଇମବ୍ରାଂଚ, ଅବକାରୀ ବିଭାଗ, ଇଓଡବ୍ଲ୍ୟୁ କଣ କରୁଥିଲେ ? ଏହି ମଦ ବ୍ୟବସାୟୀ ହିଁ ନିର୍ବାଚନ ସମୟରେ ବିଜେଡିର ମଦ ଏବଂ ଟଙ୍କାର ସୋର୍ସ । ମୋଦିଙ୍କ ଗ୍ୟାରେଂଟି ଯୋଗୁଁ ଏତେ ବଡ ରେଡ ସମ୍ଭବ ହୋଇଛି । ପୂର୍ବରୁ କଂଗ୍ରେସ ଶାସନରେ କେତେ ଟଙ୍କା ଆତ୍ମସାତ ହେଇଥିଲା କେହି ଜାଣି ପାରୁନଥିଲେ । ମୋଦି ଗ୍ୟାରେଂଟି ଦେଇଛନ୍ତି, ଯେଉଁଠି ଦୁର୍ନୀତି ହେବ ସେ ଟଙ୍କା ଧରା ପଡ଼ିବ ଏବଂ ଲୋକଙ୍କ ପାଖକୁ ଫେରିବ । ମୁଖ୍ୟମନ୍ତ୍ରୀ ତାଙ୍କ ନେତା ଏବଂ ମନ୍ତ୍ରୀଙ୍କ ସଂପୃକ୍ତି ନେଇ ସ୍ପଷ୍ଟ କରନ୍ତୁ ବୋଲି ଲେଖାଶ୍ରୀ ଦାବି କରିଛନ୍ତି ।
ସେ କହିଛନ୍ତି ଝାଡ଼ଖଣ୍ଡର କଂଗ୍ରେସ ସାଂସଦ ଏହି ମଦ କମ୍ପାନୀର ମାଲିକ । କିନ୍ତୁ ବିଜେଡ଼ି ନେତା ଏବଂ ରାଜ୍ୟ ସରକାର ମିଶି ମଦ କମ୍ପାନୀକୁ ଓଡ଼ିଶାରେ ପରିଚାଳିତ କରୁଥିଲେ । ଓଡ଼ିଶାର ଅବକାରୀ ବିଭାଗ ହିଁ ସେ କମ୍ପାନୀକୁ ଲାଇସେନ୍ସ ଦେଇଥିଲା । କମ୍ପାନୀର ପ୍ରଡକ୍ସନ, ଟର୍ଣ୍ଣ ଓଭର ଏବଂ ପ୍ରଫିଟ ସବୁ ଓଡ଼ିଶା ସରକାରଙ୍କ ନିୟନ୍ତ୍ରଣରେ ଥିଲା । କିନ୍ତୁ ଜଣେ ମଦ ବେପାରୀ ଶହ ଶହ କୋଟି ଟଙ୍କା ଠୁଳ ରଖିଥିବା କଥା ରାଜ୍ୟ ସରକାର କେମିତି ଜାଣିପାରିଲେ ନାହିଁ । ଶ୍ରେଷ୍ଠ ଭିଜିଲାନ୍ସ ବିଭାଗ ଭାବେ ଓଡ଼ିଶା ଭିଜିଲାନ୍ସ ଆୱାର୍ଡ଼ ପାଇଛି । ତେଣୁ ଭିଜିଲାନ୍ସ ଏତେ ବଡ କାରବାର ବିଷୟରେ ଜାଣି ପାରିଲାନି କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି? ରାଜ୍ୟ ସରକାର କେବଳ ପ୍ରଚାର ପାଇଁ ୫ଟି ଏବଂ ଟ୍ରାନ୍ସପରେନ୍ସି କଥା କହୁଛନ୍ତି । ଓଡ଼ିଶାରେ କେମିତି ଓ କାହା ନିର୍ଦ୍ଦେଶରେ ଟେଣ୍ଡର ଦିଆଯାଏ ତାହା ହାଟରେ ପଡ଼ି ଦାଣ୍ଡରେ ଗଡିଲାଣି ।
ଅପରପକ୍ଷରେ ବିଜେପିର ପଶ୍ଚିମ ଓଡ଼ିଶା ନେତା ମଦ ବ୍ୟବସାୟୀଙ୍କ ସଂପୃକ୍ତ ଅଛନ୍ତି ବୋଲି ବିଜେଡ଼ି ର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ଲେଖାଶ୍ରୀ କହିଛନ୍ତି ଯଦି ପ୍ରମାଣ ଅଛି ବିଜେଡ଼ି ଦେଉ । ମଦ ବ୍ୟବସାୟୀଙ୍କ ସହ ବିଜେଡ଼ି ନେତାଙ୍କ ଫଟୋ ଭାଇରାଲ୍ ହେଉଛି, ବିଜେପି ନେତାଙ୍କ ସହ ନୁହେଁ ବୋଲି ସେ କହିଛନ୍ତି ।