ଭୁବନେଶ୍ୱର– ନବୀନ ବାବୁ ଓଡ଼ିଶାରେ ମହିଳାଙ୍କ ସୁରକ୍ଷା ପାଇଁ କୌଣସି ବ୍ୟବସ୍ଥା କରିନାହାନ୍ତି । ତେଣୁ ଓଡିଶାରେ ଲିଙ୍ଗଗତ ତାରତମ୍ୟ ଭୟଙ୍କର ଭାବେ ବଢ଼ିଛି । ପ୍ରତି ୧୦୦୦ ପୁରୁଷଙ୍କ ତୁଳନାରେ ମହିଳାଙ୍କ ସଂଖ୍ୟା ୯୨୫କୁ ଖସି ଆସିଛି । ଗତ ୪ ବର୍ଷ ହେଲାଣି ଲଗାତାର ଭାବେ ମହିଳାଙ୍କ ସଂଖ୍ୟା ହ୍ରାସ ପାଇଚାଲିଛି । ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ରାଜ୍ୟ ସରକାର ଗମ୍ଭୀର ଭାବେ ଚିନ୍ତା କରିବା ଆବଶ୍ୟକ ବୋଲି ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା. ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି ।
ଶୁକ୍ରବାର ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଡା. ବିଶ୍ୱାଳ କହିଛନ୍ତି ଯେ, ଓଡିଶାରେ ମହିଳା ସମ୍ପୂର୍ଣ୍ଣ ଅସୁରକ୍ଷିତ । ଦୀର୍ଘ ୨୩ବର୍ଷ ଧରି ନିରୁଙ୍କଶ ଶାସନରେ ଥିବା ବିଜୁ ଜନତା ଦଳ ମହିଳାଙ୍କ ଉନ୍ନତି, ପ୍ରଗତି ଓ ସଶକ୍ତିକରଣ ପାଇଁ କିଛି କରିନାହିଁ । ମହିଳାମାନେ ସ୍ୱାବଲମ୍ବି ହୋଇନାହାନ୍ତି । ଆଜି ବି ଜନ୍ମିତ ହେଉଥିବା ଶିଶୁ କନ୍ୟାକୁ ହତ୍ୟା କରାଯାଉଛି । ମହିଳା ଓ ଶିଶୁକନ୍ୟାଙ୍କ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ବାବୁ କୌଣସି ପ୍ରଚେଷ୍ଟା ନକରିବା ଦୁର୍ଭାଗ୍ୟଜନକ । ମହିଳାଙ୍କୁ ଦୁଷ୍କର୍ମ, ହତ୍ୟା, ଅପହରଣରେ ରାଜ୍ୟ ସରକାରଙ୍କ ମନ୍ତ୍ରୀ, ସାଂସଦ ଓ ବିଧାୟକ ଲିପ୍ତ ଥିଲେ ବି ଏଯାଏଁ ସେମାନେ ଦଣ୍ଡିତ ହୋଇନାହାନ୍ତି । ବିଜୁ ଜନତା ଦଳ ଓଡ଼ିଶାର ମହିଳାଙ୍କ ପାଇଁ କାଳ ସାଜିଛି । ଯଥାଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ବାବୁ ମହିଳାଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ଡା. ବିଶ୍ୱାଳ ଦାବି କରିଛନ୍ତି ।
ଏନ୍ସିଆର୍ବି ରିପୋର୍ଟ ଦର୍ଶାଉଛି ଯେ, ଓଡିଶା ମହିଳା ଓ ଶିଶୁମାନଙ୍କ ପାଇଁ ସମ୍ପୂର୍ଣ୍ଣ ଅସୁରକ୍ଷିତ ହୋଇପଡିଛି । ରାଜ୍ୟରେ ଘରୋଇ ମହିଳାଙ୍କ ଆତ୍ମହତ୍ୟା ହାର ୨୦୨୨ରେ ୩୧୭ ଥିଲାବେଳେ ୨୦୨୩ବେଳକୁ ତାହା ୨୬୯୧ ଛୁଇଁଛି । ଓଡିଶାରେ ୨୦୨୧ରେ ୧ଲକ୍ଷ ୫୫ହଜାର ୪୨୦ ଅପରାଧିକ ମାମଲା ରୁଜୁ ହୋଇଥିଲାବେଳେ ୨୦୨୨ରେ ଏହା ବୃଦ୍ଧି ପାଇ ୧ଲକ୍ଷ ୭୮ହଜାର ୧୯୦ରେ ପହଁଚିଛି । ସେହିପରି ରାଜ୍ୟରେ ବାର୍ଷିକ ପ୍ରତି ଲକ୍ଷ ଲୋକରୁ ୩ଜଣ ହତ୍ୟାର ଶୀକାର ହେଉଛନ୍ତି ଅର୍ଥାତ୍ ସାଢେ ଚାରିକୋଟିରେ ୧୩ ଶହ ୫୦ ଜଣ ଲୋକ ହତ୍ୟାର ଶୀକାର ହେଉଛନ୍ତି । ୨୦୨୧ ତୁଳନାରେ ରାଜ୍ୟରେ ମହିଳାଙ୍କ ପ୍ରତି ଅସଦାଚରଣରେ ଓଡିଶା ଦେଶର ଚତୁର୍ଥ ସ୍ଥାନରେ ଅଛି ଓ ମହିଳା ବିରୋଧୀ ଅପରାଧରେ ଦେଶରେ ସପ୍ତମ ସ୍ଥାନରେ ଅଛି । କିନ୍ତୁ ଓଡିଶାର ଜନସଂଖ୍ୟା ଦୃଷ୍ଟିରୁ ବିଚାର କଲେ ମହିଳା ବିରୋଧୀ ହିଂସାରେ ଓଡିଶା ୧ନଂ ରାଜ୍ୟ ।ଓଡ଼ିଶାରେ ମହିଳାଜନିତ ଅପରାଧରେ ଦଣ୍ଡବିଧାନ ହାର ମାତ୍ର ୮ପ୍ରତିଶତ ।
ରାଜ୍ୟରେ ତମାମ୍ ମହିଳା ବିରୋଧୀ ହିଂସା, ଦୁଷ୍କର୍ମ ସହିତ ବିଜୁ ଜନତା ଦଳର ନେତା, ମନ୍ତ୍ରୀ, ବିଧାୟକଙ୍କ ସମ୍ପୃକ୍ତି ଥିବା ସାମ୍ନାକୁ ଆସିଥିଲେ ମଧ୍ୟ ମୁଖ୍ୟମନ୍ତ୍ରୀ କୌଣସି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇନାହାଁନ୍ତି । ଯାହାଫଳରେ ଅନ୍ୟମାନେ ଅପରାଧ ଘଟାଇବାପାଇଁ ସାହସ କରୁଛନ୍ତି । ବର୍ତମାନ ସୁଦ୍ଧା କେତେ ମହିଳା ଓ ଶିଶୁ ନିଖୋଜ ହୋଇଛନ୍ତି, ମହିଳା ଓ ଶିଶୁ ସୁରକ୍ଷା ପାଇଁ କେଉଁ ଯୋଜନା ମାଧ୍ୟମରେ କ’ଣ ସୁଫଳ ମିଳିଛି ତାହା ନବୀନ ବାବୁ ସ୍ପଷ୍ଟ କରନ୍ତୁ ବୋଲି ଡା. ବିଶ୍ୱାଳ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପସଭାନେତ୍ରୀ ପ୍ରୀତି ପ୍ରତିଭା ଭୋଳ ଓ ରଶ୍ମିମୟୀ ପଟ୍ଟନାୟକ, ସାଧାରଣ ସମ୍ପାଦିକା ରଶ୍ମିରେଖା ଦାସ, ମହିଳାମୋର୍ଚ୍ଚା କୋଷାଧ୍ୟକ୍ଷା କଳ୍ପନା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।