ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ‘‘ସାଇବର ସୁରକ୍ଷିତ ଭାରତ’’ ନିର୍ମାଣ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସର୍ବୋଚ୍ଚ ପ୍ରାଥମିକତା ମଧ୍ୟରୁ ଅନ୍ୟତମ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସାଇବର ଅପରାଧ ରୋକିବା ଏବଂ ସାଧାରଣ ଲୋକଙ୍କୁ ସାଇବର ବିପଦରୁ ରକ୍ଷା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ଏହି କ୍ରମରେ ସାଇବର ଠକମାନେ ବ୍ୟବହାର କରୁଥିବା ଫୋନ୍ ନମ୍ବର ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲ ସମ୍ପର୍କରେ ତୁରନ୍ତ ଏନସିଆରପି www.cybercrime.gov.in ଜଣାଇବାକୁ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି।
ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ହେଉଛି ଦେଶରେ ସାଇବର ଅପରାଧର ସମନ୍ୱିତ ଏବଂ ବ୍ୟାପକ ଢଙ୍ଗରେ ମୁକାବିଲା କରିବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଏକ ପଦକ୍ଷେପ । ଏହି ଆଇ୪ସି ସଂସ୍ଥା ନିଜର ଶୀର୍ଷସ୍ତରର ଜାତୀୟ ସାଇବର ଅପରାଧ ବିପଦ ବିଶ୍ଳେଷଣ ୟୁନିଟ୍ (ଏନ୍ସିଟିଏୟୁ) ଜରିଆରେ ଗତ ସପ୍ତାହରେ ସଂଗଠିତ ନିବେଶ/ ଟାସ୍କ ଆଧାରିତ – ପାର୍ଟ ଟାଇମ୍ ଚାକିରି ଠକେଇରେ ସମ୍ପୃକ୍ତ ୧୦୦ରୁ ଅଧିକ ୱେବସାଇଟ୍ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲା। ଏହାପରେ ସୂଚନା ପ୍ରଯୁକ୍ତି ବିଦ୍ୟା ଆଇନ, ୨୦୦୦ ଅଧୀନରେ ନିଜର କ୍ଷମତାକୁ ପ୍ରୟୋଗ କରି ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଏହି ୱେବସାଇଟଗୁଡିକୁ ବ୍ଲକ୍ ବା ବନ୍ଦ କରିଛି। କାର୍ଯ୍ୟ ଭିତ୍ତିକ/ ସଂଗଠିତ ବେଆଇନ ନିବେଶ ସମ୍ବନ୍ଧୀୟ ଆର୍ଥିକ ଅପରାଧକୁ ସୁଗମ କରୁଥିବା ଏହିସବୁ ୱେବସାଇଟ୍ ଡିଜିଟାଲ ବିଜ୍ଞାପନ, ଚାଟ୍ ମେସେଞ୍ଜର ଏବଂ ଠକ / ଭଡ଼ା ଏକାଉଣ୍ଟ ବ୍ୟବହାର କରି ବିଦେଶୀ ବ୍ୟକ୍ତିବିଶେଷଙ୍କ ଦ୍ୱାରା ପରିଚାଳିତ ହେଉଥିଲା। ଆହୁରି ବଡ଼ ଧରଣର ଆର୍ଥିକ ଠକେଇରୁ ହେଉଥିବା ଆୟକୁ କାର୍ଡ ନେଟୱାର୍କ, କ୍ରିପ୍ଟୋ କରେନ୍ସି, ବିଦେଶୀ ଏଟିଏମ୍ ଉଠାଣ ଏବଂ ଅନ୍ତର୍ଜାତୀୟ ଫିନଟେକ୍ କମ୍ପାନୀ ସହାୟତାରେ ଭାରତ ବାହାରକୁ ଚାଲାଣ ହେଉଥିଲା।