-
କ୍ଷେତ୍ର ଅନୁଧ୍ୟାନ କଲେ ସ୍ଵତନ୍ତ୍ର ଟିମ୍
ପୁରୀ– ଜାନୁଆରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ । ଏହାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଲୋକାର୍ପଣ ପାଇଁ ଯଜ୍ଞ ଅନୁଷ୍ଠିତ ହେବ । ଗଜପତି ମହାରାଜା ଏହାର ପୁରୋଧା ରହିଛନ୍ତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଯଜ୍ଞ ପାଇଁ ସ୍ଥାନ ଚିହ୍ନଟ ସରିଛି । ମାପଚୁପ ସହିତ ଅଧିକାରୀ ମାନେ କ୍ଷେତ୍ର ପରିଦର୍ଶନ କରିଛନ୍ତି । ଏନେଇ ଆଜି ଏକ ସ୍ଵତନ୍ତ୍ର ଟିମ୍ ଯଜ୍ଞସ୍ଥଳ ଓ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଛନ୍ତି । ଏହି ଟିମ୍ ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ, ଜିଲ୍ଲାପାଳ ସମର୍ଥ ବର୍ମା ଓ ଶ୍ରୀମନ୍ଦିର ନୀତି ପ୍ରଶାସକ ସାମିଲ୍ ଥିଲେ । ଏହି ଟିମ୍ ଯଜ୍ଞସ୍ଥଳ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି କ୍ଷେତ୍ର ଅନୁଧ୍ୟାନ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ଚାରିଧାମରୁ ବିଦ୍ଵାନ, ପଣ୍ଡିତ, ସାଧୁସନ୍ଥ ଓ ଭିଭିଆଇପି ମାନେ ଯୋଗଦେବେ । ସାଧୁସନ୍ଥ ଓ ମଠାଧିଶଙ୍କ ଦ୍ଵାରା ଅଖଣ୍ଡ ନାମ ଓ ସଂକୀର୍ତନ କରାଯିବ । ଏହି ଅବସରରେ ପ୍ରକଳ୍ପ ପାଇଁ ଜମି ଦାନ କରିଥିବା ବ୍ୟକ୍ତିବିଶେଷ, ନିୟୋଜିତ ଅଧିକାରୀ ଏବଂ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯିବ । ଲୋକାର୍ପଣ ଉତ୍ସବର ଲାଇଭ୍ ଭିଡ଼ିଓ ଡିସପ୍ଲେ କରାଯିବ । ଏହାକୁ ଦୃଷ୍ଟିରେ ରଖି ଡିସେମ୍ବର ୨୫ ତାରିଖ ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଦାସ ।