ପୁରୀ– ଶହୀଦ ଜୟୀ ରାଜଗୁରୁଙ୍କ ବୀରତ୍ୱ, ସାହସ, ତ୍ୟାଗ ଓ ଦେଶପ୍ରେମ ଯୁଗ ଯୁଗ ପାଇଁ ମାନବ ସମାଜକୁ ପ୍ରେରଣା ଦେଇ ଚାଲିଥିବ ବୋଲି କହିଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ । ଆଜି ପୂର୍ବାହ୍ନରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜୟୀ ରାଜଗୁରୁ ସ୍ମୃତି ପରିଷଦ ଓ ଶ୍ରୀ ଗୋପିନାଥ ଦେବସ୍ଥାନ ସମିତି ପକ୍ଷରୁ ବୀର ହରେକୃଷ୍ଣପୁର ଗ୍ରାମ ଠାରେ ଶହୀଦ ଜୟୀ ରାଜଗୁରୁଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ଷଡ଼ଙ୍ଗୀ ଜୟୀ ରାଜଗୁରୁ ପ୍ରଥମ ସ୍ୱାଧୀନତା ସଂଗ୍ରାମୀ ଭାବେ ଯେଉଁ ତ୍ୟାଗ ଓ ବଳିଦାନ ଦେଇଛନ୍ତି ତାହା ଅନନ୍ୟ ଓ ଅବିସ୍ମରଣୀୟ।ତାଙ୍କ କାର୍ଯ୍ୟଧାରା ଓ ଆଦର୍ଶକୁ ଅଧିକ ପ୍ରଚାର, ପ୍ରସାର କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି ସେ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ ଆଜିର ଦିବସରେ ଶହୀଦ ହୋଇଥିବା ଜୟୀ ରାଜଗୁରୁଙ୍କ ଦେଶପ୍ରୀତି ଅତୁଳନୀୟ ବୋଲି କହିବା ସହ ବର୍ତ୍ତମାନ ଓ ଭବିଷ୍ୟତର ପିଢି ତାଙ୍କ ଆଦର୍ଶ ଓ ଦେଶସେବାରେ ଅନୁପ୍ରାଣିତ ହେବାକୁ ଆହ୍ୱାନ ଦେଇଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଏଥିରେ ଅଧ୍ୟକ୍ଷତା କରିବା ସହ ଜୟୀ ରାଜଗୁରୁଙ୍କ ସ୍ମୃତି ରକ୍ଷା ଓ ଏହି ପୀଠର ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ପୁରୀ ସଦର ଏବିଡିଓ ମନୋଜ କୁମାର ବେହେରା, ଶ୍ରୀ ଗୋପିନାଥ ଦେବସ୍ଥାନ ସମିତିର ସଭାପତି ଭାସ୍କର ନାରାୟଣ ରଥ, ସମ୍ପାଦକ ପ୍ରକୃତି ପ୍ରସାଦ ମିଶ୍ର ,ସମିତି ସଭ୍ୟ ଅଜୟ ପ୍ରଧାନ, ଜୟୀ ରାଜଗୁରୁ ସ୍ମୃତି ପରିଷଦର ସଂପାଦକ ଡଃ ଜଟାଧାରୀ ମିଶ୍ର ଶହୀଦ ଜୟୀ ରାଜଗୁରୁ କ୍ଳବ ସଭାପତି ଶକ୍ତିପ୍ରସାଦ ମିଶ୍ର, ସମ୍ପାଦକ ରାଜେଶ ରଥ , ସତ୍ୟଜିତ ତ୍ରିପାଠୀ, ଦିନେଶ ରଥ ପ୍ରମୁଖ ଯୋଗ ଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ପୂର୍ବରୁ ବୀର ହରେକୃଷ୍ଣପୁର ବଜାର ସ୍ଥିତ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ଗ୍ରାମ ନିକଟସ୍ଥ ଲୋକନାଥ ମନ୍ଦିର ପୁଷ୍କରିଣୀ ଠାରେ ସାମୁହିକ ତିଳତର୍ପଣ କରାଯାଇଥିଲା। ଗଦାଧର ପାଠାଗାର ଠାରେ ଏକ ରକ୍ତ ଦାନ ଶିବିର ସମର୍ପଣ ଅନୁଷ୍ଠାନ ଓ ରୋଟାରୀ କ୍ଲବ ଅଫ ଶ୍ରୀ ଜଗନ୍ନାଥ ଧାମ ପୁରୀ ପକ୍ଷରୁ ସଦସ୍ୟ ଜୟନ୍ତୀ ମହାପାତ୍ରଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଥିଲା । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦତ୍ତ ଏବଂ ଗ୍ରାମବାସୀଙ୍କ ସହଯୋଗରେ ଘୋଡାନାଚ ଓ ଭଜନ ପରିବେଷଣ କରାଯାଇଥିଲା। ପୂର୍ବରୁ ରେଲୱେ ଷ୍ଟେସନଠାରେ ଥିବା ଶହୀଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତିରେ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ଅନ୍ୟାନ୍ୟ ସଂଗଠନ ଓ ବ୍ୟକ୍ତିଙ୍କ ପକ୍ଷରୁ ମାଲ୍ୟାର୍ପଣ କରାଯାଇଥିଲା।
Related Stories
November 23, 2024