ରାଉରକେଲା, ଆସନ୍ତା ନିର୍ବାଚନକୁ ନେଇ ରାଉରକେଲା ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ମାହୋଲ ସରଗରମ । ପୂର୍ବତନ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ ଦିଲୀପ ରାୟ, ତାଙ୍କ ପତ୍ନୀ ପୂଜା ରାୟ ଓ ପୁର୍ବତନ ପ୍ରଶାସନିକ ଅଧିକାରୀ ରାଉରକେଲା ଓ ସୁନ୍ଦରଗଡ ଏଡିଏମ ରବିନାରାୟଣ ମିଶ୍ର ଏଥର ରାଉରକେଲାରୁ ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।
ପ୍ରଥମେ ଯଦି ଦିଲୀପଙ୍କ କଥା ଦେଖାଯାଏ, ସେ ରାଉରକେଲାରେ ଅଦ୍ୱିତୀୟ ନେତା, ରାଜନୀତି ରାଉରକେଲାରୁ ଆରମ୍ଭ, ଲୋକ ସଂପର୍କ ମଧ୍ୟ ପୂର୍ବଭଳି ସହରରେ ତାଙ୍କର ସୁଦୃଢ ରହିଛି । ନିର୍ବାଚନ ଆଗରୁ ବର୍ତ୍ତମାନ ଯାଏ ସେ ପ୍ରତି ମାସ ଥରେ ରାଉରକେଲା ଆସି ବସ୍ତି ଠାରୁ ଆରମ୍ଭ କରି ବିଭିନ୍ନ ଲୋକଙ୍କ ପାଖକୁ ଯିବା ଅଭ୍ୟାସ ସେ ଜାରି ରଖିଛନ୍ତି । ବିଭିନ୍ନ ସଂଗଠନ ମଧ୍ୟ ତାଙ୍କ ସହ ଏବେବି ରହିଛିି । ଗତ ନିର୍ବାଚନ ପୁର୍ବରୁ ତାଙ୍କର ବିଜେଡିରେ ମିଶିବା ପର୍ବକୁ ନେଇ ବେଶ ଚର୍ଚ୍ଚା ରହିଥିବା ବେଳେ ରାଙ୍କର ନିଜ ତରଫରୁ ଅନେକ ଉଦ୍ୟମ ଥିବା ସତ୍ୱେ ବିଜେଡି କୌଣସି ସୁଚନା ଦେଇ ନଥିଲା ।
ତଥାପି ସେ ଗତ ନିର୍ବାଚନରେ ନିଜେ ପ୍ରାର୍ଥୀ ନହୋଇ ବିଜେଡି ପ୍ରାର୍ଥୀ ସାରଦା ବାବୁଙ୍କୁ ସମର୍ଥନ ଦେଇ ବିପୁଳ ସଂଖ୍ୟାରେ ନିର୍ବାଚିତ କରାଇବାରେ ସହଯୋଗ କରିଥିଲେ । ଏଥର ସେ ନିଜେ ରାଉରକେଲାରୁ ପ୍ରାର୍ଥୀ ହେବେ ଓ ଖୁବ ଶୀଘ୍ର କଂଗ୍ରେସ ଦଳରେ ଯୋଗଦାନ କରିବେ ବୋଲି ସହରରେ ଜାଣିବା ଶୁଣିବା ମହଲରେ ଆଲୋଚନା ଜୋର ଧରିଛି । ଅନ୍ୟ ପକ୍ଷରେ ଯଦି ଦିଲୀପ ନିଜେ ରାଉରକେଲାରୁ ଠିଆ ନହୁଅନ୍ତି ତେବେ ତାଙ୍କ ପତ୍ନୀ ପୁଜା ରାୟ ଏଥର ରାଉରକେଲାରୁ ଠିଆ ହେବେ ବୋଲି ତାଙ୍କର ସମର୍ଥକ ମାନେ ଆଲୋଚନା ଚଲାଇଛନ୍ତି । ତେବେ ଏନେଇ ଦିଲୀପଙ୍କର କୌଣସି ମତ ଆସିନଥିଲେ ବି ସେ ସହରର ବସ୍ତି ବାସିନ୍ଦା ମାନଙ୍କୁ ନେଇ ଉଠାଇଛନ୍ତି ପ୍ରଶ୍ନ । ସେ କହିଛନ୍ତି ସହର ସ୍ମାର୍ଟ ଲାଗି ଅନେକ ଖର୍ଚ୍ଚ ଚାଲିଛି କିନ୍ତୁ ବସ୍ତି ବାସିନ୍ଦା ଏଥିରେ ସେଭଳି ଲାଭବାନ ହେଲେ ନାହିଁ । ରାଉରକେଲାରେ ଭୋଟର ସଂଖ୍ୟାକୁ ଦେଖା ଗଲେ ବସ୍ତି ନାସିନ୍ଦାଙ୍କ ସଂଖ୍ୟା ଅଧାରୁ ଅଧିକ । ସେମାନଙ୍କ କଥା ବୁଝିବା ଲାଗି ସମସ୍ତେ କାନ୍ଦୁଛନ୍ତି କିନ୍ତୁ ଲୁହ ଦେଖାଯାଉନାହିଁ । ଏସବୁ ସମସ୍ୟା କେବଳ ମହାନଗର ନିର୍ବାଚନ ହେଉନଥିବାରୁ ବଢି ବଢି ଚାଲିଛି । କଳ କାରଖାନା , ନିଯୁକ୍ତି ଦୃଷ୍ଟିରୁ ଦେଖା ଗଲେ ଯୁବ ସମାଜ ଏଥିରୁ ସେଭଳି ଲାଭବାବନ ହୋଇ ପାରିନାହାନ୍ତି । ନିଯୁକ୍ତି ଏକ ସ୍ୱପ୍ନ ହୋଇ ରହିଯାଇଛି । ତେବେ ତାଙ୍କ ନିକଟତର ମହଲ କହିବା କଥା ଦିଲୀପ ଓ ପୁଜାଙ୍କୁ ନେଇ ଯାହା ଆଲୋଚନା ଚାଲିଛି ତାହା ଫେବୃଆରୀ ଶୁଦ୍ଧା ଷ୍ପଷ୍ଟ ହୋଇଜିବ । ତେବେ ଯଦି ଦିଲୀପ କଂଗ୍ରେସକୁ ଆସନ୍ତି ଓ ଟିକେଟ ନିଅନ୍ତି ତେବେ ଦଳରେ ବିଧାୟକ ଟିକେଟ ନେଇ ସ୍ୱପ୍ନ ଦେଖୁଥିବା ନେତା କରିବେକଣ ବୋଲି ଆଲୋଚନା ଚାଲିଥିବା ବେଳେ ଦଳର ରାଉରକେଲା ସଭାପତି ରଶ୍ମି ରଂଜନ ପାଢୀ କହିଛନ୍ତି ଯେ ସେ ସଂଗଠନକୁ ସୁଦୃଢ କରିବାରେ ଲାଗିଛନ୍ତି, କଂଗ୍ରେସ କ୍ଷମତାକୁ ଫେରୁ, ରାଉରକେଲାବାସୀଙ୍କର ଉନ୍ନତି ହେବା ସହ ତାଙ୍କ ବିଧାୟକ ସବୁ ବେଲେ ତାଙ୍କ ପାଖରେ ମିଳନ୍ତୁ । ବିଧାୟକଙ୍କୁ ଖୋଜିବା ଲାଗି ମାସ ମାସ ନଲାଗିବା ଭଳି ସ୍ଥିତି ନଆସୁ । ତେବେ ଅନ୍ୟତମ ବ୍ୟକ୍ତି ହେଲେ ପୁର୍ବତନ ଏଡିଏମ ରବିନାରାୟଣ ମିଶ୍ର, ସେ ଅବସର ନେଇସାରିଛନ୍ତି, ଏବେ ସେ କଂଗ୍ରେସ ଦଳରେ ମଧ୍ୟ ଯୋଗ ଦାନ କରିସାରିଛନ୍ତି । ତେବେ ସେ ରାଉରକେଲାରେ ଥିବା ବେଳେ ତାଙ୍କ କାମ କରିବାର ଶୈଳୀ ଲୋକଙ୍କୁୁ ଛୁଇଁ ପାରିଥିଲା । ସେ ଜଣେ ଅଭିଜ୍ଞ ସଂପନ୍ନ ବ୍ୟକ୍ତି , ତେଣୁୁ ତାଙ୍କୁ ପ୍ରାର୍ଥୀ କରାଗଲେ ରାଉରକେଲାର ଉନ୍ନତି ଆହୁରି ଦୁଇପାଦ ଆଗକୁ ଯିବ ବୋଲି ଆଲୋଚନା ଚାଲିଛି । ଏଭଳି ସ୍ଥିତିରେ ବିଜେଡିରୁ ଅନେକଙ୍କ ନାମ ଆଗକୁ ଆସିସାରିଥିବା ବେଳେ ସାରଦା ଓ ମଙ୍ଗଳା ଲଢେଇ ବିଜେଡି ଲାଗି ସମସ୍ୟା ଠିଆ କରିପାରେ ବୋଲି କୁହାଯାଉଛି । ବିଜେପି ଦଳରେ ରାଉରକେଲା ଲାଗି ମଧ୍ୟ ଅନେକଙ୍କର ଆଶା ରହିଛି । ପୂର୍ବ ଥର ନିହାର ରାୟ ଅଳ୍ପ କିଛି ଭୋଟ ବ୍ୟବଧାନରେ ହାରିଥିବା ବେଳେ, ଯଦି ତାଙ୍କର ପୁରାତନ ନେତା ଦିଲୀପ ବାବୁ ଏଥର ମଇଦାନକୁ ଆସନ୍ତି ସେ ଏଥର କଣ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି ।