-
ବିଜେଡ଼ି ଦଳର ଗୁଣ୍ଡା ମାନଙ୍କ ସହ ପୋଲିସର ମଧୁଚନ୍ଦ୍ରିକା – ଇରାଶୀଷ
ଭୁବନେଶ୍ୱର, ବରଗଡ ଜିଲ୍ଲା ଅମ୍ବାଭୋନା ଥାନା ଭଙ୍ଗାରୁଜା ଘଟଣାରେ ସମସ୍ତ ଅଭିଯୁକ୍ତ ମାନଙ୍କୁ ବର୍ତମାନ ସୁଦ୍ଧା ଗିରଫ ନ କରାଯିବାକୁ ନେଇ ଭାରତୀୟ ଜନତା ପାର୍ଟୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ଇରାଶିଷ ଆଚାର୍ଯ୍ୟ ଥାନା ଉପରେ ଆକ୍ରମଣ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ।
ଦଳୀୟ କାର୍ଯାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଆଚାର୍ଯ୍ୟ କହିଛନ୍ତି, ଭଟଲି ବିଧାନସଭା କ୍ଷେତ୍ରରେ ମାସେ ତଳେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ସୁଶାନ୍ତ ସିଂଙ୍କ ଉପସ୍ଥିତିରେ ଅମ୍ବାଭୋନା ଥାନା ଉପରେ ଆକ୍ରମଣ ହେଲା । ଥାନା ଭଙ୍ଗାରେ ସଂପୃକ୍ତ 102 ଜଣଙ୍କ ନାଁରେ ସଙ୍ଗୀନ ଦଫାରେ ମାମଲା ରୁଜୁ ହୋଇଥିଲା । 22 ଜଣଙ୍କୁ ଗିରଫ କରିଥିଲା ପୋଲିସ । ସେଥିରୁ 4 ଜଣ ଜେଲରେ ଅଛନ୍ତି । ଅନ୍ୟ ମାନଙ୍କୁ ଜାମିନ ମିଳି ଯାଇଛି । ଅପରାଧୀଙ୍କୁ ଜାମିନ ଦେବା ପାଇଁ ପୋଲିସ ସହାୟତା ଦେଇଥିବା ନେଇ ଅଭିଯୋଗ କରିଛି ବିଜେପି । ଏହି ମାମଲାରେ ପୋଲିସ ନିଜେ ଇନଫର୍ମାଣ୍ଟ, ପୋଲିସ ନିଜେ ଆହତ ଏବଂ ପୋଲିସ ହିଁ ନିଜେ ସାକ୍ଷୀ । କିନ୍ତୁ ନୋଟିସ ହେବା ପରେ ମଧ୍ୟ ପୋଲିସ କୋର୍ଟରେ ହାଜର ହୋଇନାହିଁ । ତେଣୁ ବିଜେଡ଼ି ଦଳର ଗୁଣ୍ଡା ମାନଙ୍କ ସହ ପୋଲିସର ମଧୁଚନ୍ଦ୍ରିକା ଥିବା ନେଇ ଅଭିଯୋଗ କରିଛି ବିଜେପି । କାହା ଚାପରେ ନୋଟିସ ପରେ ମଧ୍ୟ କୋର୍ଟକୁ ଗଲା ନାହିଁ ପୋଲିସ ? ଥାନା ଭଙ୍ଗା କେସରେ ଏସସି ଏସଟି ଏବଂ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲାଗିଥିବା ସତ୍ତ୍ୱେ ପୋଲିସ କୋର୍ଟକୁ ଯାଉନାହିଁ । 5 ନଭେମ୍ବର 2023ରେ ଥାନା ଭଙ୍ଗାରୁଜା ଘଟଣା ଘଟିଥିଲା । ହେଲେ ଆଜି ଠିକ୍ ମାସେ ପରେ ବି ସମସ୍ତ ଅପରାଧୀଙ୍କୁ ଗିରଫ କରି ପାରିନି ପୋଲିସ । ମୋ ପୋଲିସ କଣ ବିଜେଡ଼ି ପୋଲିସ କି ବୋଲି ସେ ପ୍ରଶ୍ନ କରିଛନ୍ତି । ପୋଲିସ ଯଦି ଅକ୍ଷମ ତେବେ ସିବିଆଇକୁ କେସ ହସ୍ତାନ୍ତର କରୁ ବୋଲି ଦାବି କଲା ବିଜେପି ।