ଜୟପୁର– ଜାତୀୟ ଆଇନ ସେବା ପ୍ରାଧିକରଣ ଓ ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ କ୍ରମେ ଆସନ୍ତା ୯ ତାରିଖ (ଶନିବାର) ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ସମେତ କୋରାପୁଟ, କୋଟପାଡ, ବୋରିଗୁମ୍ମା, ସେମିଳିଗୁଡା, ଦଶମନ୍ତପୁର,ଲମତାପୁଟ-କୋରାପୁଟ ଏବଂ ଲକ୍ଷ୍ମୀପୁରରେ ଥିବା ସମସ୍ତ କୋର୍ଟ ପରିସରରେ ଚତୁର୍ଥ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ (ସାଲିସ ଯୋଗ୍ୟ ) ମୋଟର ଦୁର୍ଘଟଣାଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ ମାମଲା, ବିଦ୍ୟୁତ ଓ ଜଳ ଯୋଗାଣ, ପାରିବାରିକ, ଶ୍ରମ ଓ ନିଯୁକ୍ତି ବିବାଦ, ଚେକ ବାଉନ୍ସ, ରାଜସ୍ଵ, ଖାଉଟି ବିବାଦ, ଜମି ଅଧିଗ୍ରହଣ, ଚାକିରି ସମନ୍ଧୀୟ (ଦରମା, ଭତ୍ତା, ଅବସରକାଳୀନ ପ୍ରାପ୍ୟ), ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ) ସମ୍ବନ୍ଧୀୟ ମାମଲା ଇତ୍ୟାଦିର ଆପୋଷ ସହମତିରେ ସମାଧାନ ହେଉଅଛି।
କେବଳ ବିଚାରାଧିନ ମୋକଦ୍ଦମା ନୁହେଁ, ପ୍ରାକ-ମୋକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇନଥିବା) ବିବାଦର ସମାଧାନ ମଧ୍ୟ ହୋଇପାରିବ। ତେଣୁ ଏହି ଲୋକ ଅଦାଲତ ମାଧ୍ୟମରେ ହେଉଥିବା ଉପରୋକ୍ତ ଜଡିତ ସମସ୍ତ ମୋକଦ୍ଦମାର ସମାଧାନ ପାଇଁ ଏବଂ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ନିକଟସ୍ଥ ଅଦାଲତରେ କାର୍ଯ୍ୟରତ ଥିବା ଜିଲ୍ଲା ବା ତାଲୁକ ଆଇନ ସେବା କାର୍ଯ୍ୟ।ଳୟ ସହ ଯୋଗାଯୋଗ କରନ୍ତୁ।