ନବରଙ୍ଗପୁର- ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ମାମଲା ଏବେ ନୂଆ ମୋଡ଼ ନେଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ କୌଣସି ପ୍ରମାଣ ନାହିଁ ବୋଲି ପୋଲିସ ଜଣାଇଥିବା ପରିବାର ଲୋକେ କହିଛନ୍ତି । ଇତିମଧ୍ୟରେ ଘଟଣାର ୧୮ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସ ମାମଲାରେ ଜଡ଼ିତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଯାହାର ପ୍ରତିବାଦରେ ଆସନ୍ତା ଜାନୁଆରୀ ୪ ତାରିଖ ଦିନ ୧୨ ଘଂଟିଆ କୋଷାଗୁମୁଡ଼ା ବନ୍ଦ ଡ଼ାକରା ଦେଇଛି ଖ୍ରୀଷ୍ଟିଆନ୍ ସମାଜ । ଯଦି ପୀଡ଼ିତାଙ୍କ ପରିବାରକୁ ୪ ତାରିଖ ସୁଦ୍ଧା ନ୍ୟାୟ ନମିଳେ । ତେବେ ପରବର୍ତୀ କାର୍ଯ୍ୟ ପନ୍ଥା ସ୍ଥିର କରାଯିବ ବୋଲି ଖ୍ରୀଷ୍ଟିଆନ ସମାଜର ବ୍ଲକ୍ ସଭାପତି ହିମାଶୁଂଶେଖର ବାଗ୍ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଏନେଇ ଅଧିକ ସୂଚନା ଦେଇ ଶ୍ରୀ ବାଗ୍ କହିଛନ୍ତି ଯେ, ଆସନ୍ତା ୪ ତାରିଖ ଦିନ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଂଟିଆ ବନ୍ଦ ପାଳନ କରାଯିବ । ଏହି ଦିନ ବ୍ଲକ୍ ରେ ଚକ ଅଖ ବନ୍ଦ ରହିବ । ଏତଦ୍ ବ୍ୟତୀତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ ଓ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ସେ ନିବେଦନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କୋଷାଗୁମୁଡ଼ା ବ୍ଲକ୍ ଖ୍ରୀଷ୍ଟିଆନ୍ ସମାଜର ଉପସଭାପତି କିଶୋର ଚନ୍ଦ୍ର ଚାଲକି, ସମ୍ପାଦକ ସୁନ୍ଦରମୋହନ ଶିଷ, ଉପଦେଷ୍ଟା ଉଇଲିୟମ୍ ସିପା, ସଦସ୍ୟ କୂଲଚନ୍ଦ ପାଣି ଓ ଅଜର ବାଘ ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ପୀଡ଼ିତାଙ୍କ ଦାଦା ଓ ପିଉସୀଙ୍କ ସୂଚନା ଅନୁଯାୟୀ, ଗତକାଲି ଡ଼ିଆଇଜି ସତ୍ୟବ୍ରତ ଭୋଇ ଓ ନବରଙ୍ଗପୁର ଏସପି ନୀତିନ କୁଶଳକର ପରିବାର ଲୋକଙ୍କ ଆଗରେ ଶବ ବ୍ୟବଚ୍ଛେଦ ରିପୋର୍ଟ ପଢି ଶୁଣାଇଥିଲେ । ହେଲେ ଏଥିରେ ଦୁଷ୍କର୍ମ ନେଇ କୌଣସି ସୂଚନା ନାହିଁ ବୋଲି ଡ଼ିଆଇଜି କହିଥିବା ପୀଡ଼ିତାଙ୍କ ଦାଦା ଅଭିଯୋଗ କରିଛନ୍ତି । ରିପୋର୍ଟରେ କେବଳ ହତ୍ୟା ନେଇ ସ୍ପଷ୍ଟ ହୋଇଥିବା କୁହାଯାଇଛି । ତେବେ ପାରିପାଶ୍ୱର୍କ ସ୍ଥିତିକୁ ଦେଖିଲେ ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଛି । ତେଣୁ, ଶବ ବ୍ୟବଚ୍ଛେଦ ରିପୋର୍ଟ ଠିକ୍ ନଥିବା ପୀଡ଼ିତାଙ୍କ ଦାଦା ଓ ପୀଉସା ଅଭିଯୋଗ କରିଛନ୍ତି । ହେଲେ ଏନେଇ ନବରଙ୍ଗପୁର ଏସପି କିମ୍ବା ଡିଆଇଜି ଶ୍ରୀ ଭୋଇଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ପ୍ରକାଶ ଥାଉକି, ଗତ ୧୩ ତାରିଖ ରାତିରେ ନାବାଳିକା ଜଣକ ଘରୁ ପଦାକୁ ଶୌଚ ପାଇଁ ଯାଇଥିବା ବେଳେ ଘଟଣାର ପରଦିନ ଅର୍ଥାତ୍ ୧୪ ତାରିଖ ସକାଳୁ ଘର ଠାରୁ ୫୦୦ ମିଟର ଦୂର କ୍ଷେତ ମଧ୍ୟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତଦେହ ନିକଟରେ ହଳେ ଚପଲ ଓ ଏହାର ୨୦୦ ମିଟର ଦୂରରେ ଦୁଇଟି ଜିନ୍ସ ପ୍ୟାଂଟ ପଡିଥିଲା । ନାବାଳିକାଙ୍କ ପାଟିରୁ ରକ୍ତ ବାହାରିଥିବାରୁ ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଗାଁ ଲୋକେ ଅଭିଯୋଗ କରିଥିଲେ । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣା ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଅଦ୍ୟାବଧି ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ବିଫଳ ହୋଇଛି । ଯାହାକୁ ନେଇ ଆନ୍ଦୋଳନ କ୍ରମଶଃ ତେଜିବାରେ ଲାଗିଛି ।